ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
କୋଣାର୍କ (ଓ୍ବାଇଏନଏସ): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କସ୍ଥିତ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ୩୭ତମ କୋଣାର୍କ ଉତ୍ସବ, ୧୬ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଏବଂ ଦ୍ୱିତୀୟ ସୁଭଦ୍ରା ଶକ୍ତି ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଚଳିତ ବର୍ଷ ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ସହ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଅତିଥିମାନଙ୍କୁ ଉନ୍ନତମାନର ଆତିଥେୟତା ପ୍ରଦାନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଉତ୍ସବସ୍ଥଳୀରେ ଆକର୍ଷଣୀୟ ସାଜସଜ୍ଜା, ଉଜ୍ଜ୍ୱଳ ଆଲୋକୀକରଣ ଓ ଦେଶ ବିଦେଶର ଖ୍ୟାତନାମା ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ଉତ୍ସବର ଗାରିମା ବୃଦ୍ଧି କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ସେ ମତପ୍ରକାଶ କରିଥିଲେ । ଉତ୍ସବର ସୁପରିଚାଳନା ନିମନ୍ତେ ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ, ପାର୍କିଂ ବ୍ୟବସ୍ଥା, ଆଲୋକୀକରଣ ଓ ପରିମଳ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ଟି ଆମ୍ବୁଲାନ୍ସ ମୁତୟନ, ଆବଶ୍ୟକ ଔଷଧ ମହଜୁଦ ରଖିବା ଏବଂ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଥିଲା । ସେହିପରି ଓ୍ୱାଟକୋ ପକ୍ଷରୁ କୋଣାର୍କ ଓ ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ପାଇଁ ୪ଟି ଟ୍ୟାଙ୍କର ମାଧ୍ୟମରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, କୋଣାର୍କର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଆଲୋକୀକରଣ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ କୋଣାର୍କ-କାକଟପୁର ଓ ଗୋପ-କୋଣାର୍କ ରାସ୍ତାର ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସ୍ଥିର ହୋଇଥିଲା। ଏହି ବୈଠକରେ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂ, ବିଭାଗୀୟ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ଏସ୍ପି ପ୍ରତୀକ ସିଂ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ବିଶ୍ୱଜିତ ରାଉତରାୟ, ଜିଲ୍ଲା ବନ ଅଧିକାରୀ ମଗର ଧନଜରାସୋ ଓ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ୱାଟକୋ ସାଧାରଣ ପରିଚାଳକ ରାଜେଶ କୁମାର ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା, ପର୍ଯ୍ୟଟନ ବିଭାଗ ସହନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କୋଣାର୍କ ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଚାଳିତ ବର୍ଷ କୋଣାର୍କ ଉତ୍ସବର ପାଞ୍ଚଦିନିଆ ନୃତ୍ୟ କାର୍ଯ୍ୟକ୍ରମର ରୂପରେଖ ମଧ୍ୟ ସ୍ଥିର କରାଯାଇଛି। ଉଦ୍ଘାଟନୀ ଦିବସରେ ପ୍ରଥମାର୍ଦ୍ଧରେ ଓଡ଼ିଶୀ ଓ ଦ୍ୱିତୀୟାର୍ଦ୍ଧରେ କୁଚିପୁଡ଼ି ନୃତ୍ୟ ପରିବେଷଣ ହେବ। ଦ୍ୱିତୀୟ ଦିନରେ ମୋହିନୀଆଟ୍ଟମ୍ ଓ ଓଡ଼ିଶୀ, ତୃତୀୟ ଦିନରେ ଓଡ଼ିଶୀ ଓ ସତ୍ରୀୟ, ଚତୁର୍ଥ ଦିନରେ କଥକ ଓ ଓଡ଼ିଶୀ ଏବଂ ଉଦ୍ଯାପନୀ ଦିବସରେ ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥିର କରାଯାଇଛି।


