ନିଜାମୁଦ୍ଦିନ ଲିଙ୍କ୍‌ ଥିଲେ ଭୟ ଓ ଲଜ୍ଜା ନ କରି ନିର୍ଭୟରେ ସାମ୍ନାକୁ ଆସନ୍ତୁ : ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର : ଆଜି କରୋନା ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହି ଅବସରରେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ନିର୍ଭୟରେ ଆଗେଇ ଆସି ସରକାରଙ୍କ ନିକଟରେ ତଥ୍ୟ ଦେବାକୁ ନିବେଦନ କରିଛନ୍ତି ବାଗ୍‌ଚୀ । ସେହିପରି ଯଦି କୌଣସି ବ୍ୟକ୍ତି ଯଦି ନିଜାମୁଦ୍ଦିନରୁ ଫେରିଛନ୍ତି କିମ୍ବା ସେମାନଙ୍କ ସହ କୌଣସି ଲୋକ ସଂସ୍ପର୍ଶରେ ଆସିଛନ୍ତି ତେବେ ତାଙ୍କ ମାଆ ଓ ଭଉଣୀମାନେ ସେମାନଙ୍କୁ ବୁଝାନ୍ତୁ ଆଉ ୧୦୪କୁ କଲ କରି ସବିଶେଷ ତଥ୍ୟ ଦିଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବାଗଚୀ କହିଛନ୍ତି ।
ତବଲିଗ ଜମାତରୁ ଫେରିଥିବା ୨୮ଜଣଙ୍କୁ ରାଜ୍ୟ ସରକାର ଟେଷ୍ଟ କରାଯାଇଛି । ସେଥିରୁ ୨୫ଟି ନମୂନା ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ପଜିଟିଭ ଆସିଛି । ଏହି ତିନି ଜଣ ଯାଜପୁର, କଟକ ଓ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଭୟ ଓ ଲଜ୍ଜ୍ୟା ନ କରି ନିର୍ଭୟରେ ସାମ୍ନାକୁ ଆସନ୍ତୁ ବୋଲି ଅପିଲ୍‌ କରିଥିଲେ ବୋଲି ବାଗ୍‌ଚୀ କହିଛନ୍ତି । ଅପରପକ୍ଷରେ ଆଜି ସୁଦ୍ଧା ରାଜ୍ୟରେ ଏଯାଏ ୧୩୯୫ଟି ସାମ୍ପଲ୍‌ ଟେଷ୍ଟ କରାଯାଇଥିବାବେଳେ ୨୦ଟି ପଜିଟିଭି ବାହାରିଛି । ସେଥି ମଧ୍ୟରୁ ଦୁଇଜଣ ସୁସ୍ଥ ରହିଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ । ଗତକାଲି ସର୍ବାଧିକ ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଚତୁର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୪୨ ଜଣ ଚିହ୍ନଟ ହୋଇଥିବାବେଳେ ପଞ୍ଚମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୩୮ ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୧ ଜଣ ଆଇସୋଲେସନ୍‌ରେ ଅଛନ୍ତି । ଅନ୍ୟ ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି ବୋଲି କହିଛନ୍ତି ବାଗ୍‌ଚୀ । ସେହିପରି ୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ କଟକ ଅଶ୍ବିନୀ ହସ୍ପିଟାଲରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବାଗ୍‌ଚୀ ।
ସେହିପରି ଘରୋଇ ହସ୍ପିଟାଲଗୁଡିକୁ କଡା ତାଗିଦ୍‌ କରାଯାଇଛି । ଫ୍ଲୁ, ଶ୍ବାସ ଲୁଚାଇଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ରାଜ୍ୟ ସରକାର କଡା ଚେତାବନୀ ଦେଇଛନ୍ତି । ଘରୋଇ ହସ୍ପିଟାଲଗୁଡିକୁ ଚିକିତ୍ସା ପାଇଁ ଆସୁଥିବା ଫ୍ଲୁ ଏବଂ ଶ୍ବାସ ରୋଗୀଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବାଗ୍‌ଚୀ । ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବାଗ୍‌ଚୀ । ଏହି ସମ୍ପର୍କୀୟ ତଥ୍ୟ ଲୁଚାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାଗ୍‌ଚୀ । ଅପପ୍ରଚାର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏହି ପ୍ରେସ୍‌ ମିଟ୍‌ରେ ଡିଜିପି ଅଭୟ ସୂଚନା ଦେଇଛନ୍ତି । କୋଭିଡ୍‌ – ୧୯ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଗତକାଲି ଠାରୁ ଭୁବନେଶ୍ବର, କଟକ ଓ ଭଦ୍ରକ ମଧ୍ୟରେ ସଟ୍‌ ଡାଉନ୍‌ର ଘୋଷଣା କରାଯାଇଛି । ଏହି ସମୟରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍‌ର ନିର୍ଦ୍ଦେଶ ନ ମାନୁଥିବା ଜନସାଧାରଣଙ୍କୁ ଗିରଫ କରାଯାଉଛି ଓ ଅଟକ ରଖାଯାଉଛି। ହେଲେ ଏହି ସାମ୍ପ୍ରତିକ ପରିସ୍ଥିତିରେ କିଛି ଅସାଧୁ ବ୍ୟକ୍ତି କରୋନାକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ପ୍ରସାରିତ କରୁଛନ୍ତି । ଯାହା ଓଡ଼ିଶାବାସୀଙ୍କ ମନରେ ଭୟ ସୃଷ୍ଟି କରିବା ସହ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରୁଛି। ତେଣୁ ରାଜ୍ୟବାସୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଯଦି କିଛି ଏପରି ଖବର ଦେଖୁଛନ୍ତି, ତାକୁ ଅନ୍ୟକାହାକୁ ଫରୱାର୍ଡ କରନ୍ତୁ ନାହିଁ। ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ୍‌ର ସହାୟତା ନିଅନ୍ତୁ କିମ୍ବା ୧୦୦କୁ ଫୋନ୍ କରି ସଠିକ୍ ଖବର ନିଅନ୍ତୁ ବୋଲି ଡିଜି ଅଭୟ କହିଛନ୍ତି । ଅପପ୍ରଚାର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ।
ସର୍ବୋପରି ଦେଶରେ ବ୍ୟାପୁଥିବା ଏହି ମହମାରୀ ସଂକଟରୁ ଆମେ ସଚେତନ ଓ ସତର୍କ ଦ୍ବାରା ହିଁ ରକ୍ଷା ପାଇପାରିବା ବୋଲି କହିଛନ୍ତି କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ଘରେ ରହି, ସତର୍କ ରହି ନିଜ ସହ ଅନ୍ୟକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଆହ୍ବାନ ଦେଇଛନ୍ତି ବାଗ୍‌ଚୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ