ପ୍ରଧାନଶିକ୍ଷକଙ୍କୁ ଭବ୍ୟ ଅବସର ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ବାଜୁଛି ବାଜା, ଫୁଟୁଛି ବାଣ, ଚାଲିଛି ଶୋଭାଯାତ୍ରା। ହାଟଡିହି ବ୍ଲକ ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ଦାଶଙ୍କୁ ଦିଆ ଯାଉଛି ଅବସର କାଳୀନ ଭବ୍ୟ ସମ୍ବର୍ଦ୍ଧନା। ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଢୋଲ ବଜାଇ, ବାଣ ଫୁଟାଇ ଏକ ବିରାଟ ପଟୁଆରରେ ବଞ୍ଚୋସ୍ଥିତ ବାସଭବନରୁ ବାହାରି ଅକରୁଆ ଗ୍ରାମ ପରିକ୍ରମା କରିବା ପରେ ବୈଦାଖିଆ ସ୍କୁଲ ନିକଟକୁ ପାଛୋଟି ନେଇଥିଲେ। ସ୍କୁଲ ପରିସରରେ ଶିକ୍ଷାବିତ ନିତ୍ୟାନନ୍ଦ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼ ରାମ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଭୋଗରାଇ ବ୍ଲକର ପ୍ରାକ୍ତନ ବିଇଓ କମଳ ଲୋଚନ ବିଶ୍ୱାଳ, ସ୍ୱତନ୍ତ୍ର ଅତିଥି ଭାବେ ହାଟଡିହି ବ୍ଲକର ପ୍ରାକ୍ତନ ବିଇଓ ଧନେଶ୍ୱର ଖଣ୍ଡେଇ, ଘସିପୁରା ବ୍ଲକର ପ୍ରାକ୍ତନ ବିଇଓ ତପୋଧାନ ସ୍ୱାଇଁ, କେନ୍ଦୁଝରର ପ୍ରାକ୍ତନ ବିଇଓ ରଘୁନାଥ ବେହେରା, ତେଲକୋଇ ବ୍ଲକର ପ୍ରାକ୍ତନ ବିଇଓ ମନମୋହନ ସାମଲ, ସମ୍ମାନିତ ଅତିଥି ପୂର୍ବତନ ଏବିଇଓ ଚତୁର୍ଭୁଜ ପହି, ଗଡ଼ଚଣ୍ଡୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନି, ଶାସଙ୍ଗ କ୍ଲଷ୍ଟରର ସିଆରସିସି ଅଞ୍ଜନ କୁମାର ଦାସ ପ୍ରମୁଖ ଯୋଗଦେଇ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ଦାଶଙ୍କ ଗୁଣାବଳୀ ଓ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ଦାସ ୩୭ ବର୍ଷ ଧରି ବିଭିନ୍ନ ସ୍କୁଲରେ ଶିକ୍ଷାଦାନ କରି ଅନେକ ପ୍ରତିଭା ସୃଷ୍ଟି କରିଛନ୍ତି। ସେ ଜଣେ ଅମାୟିକ, ଛାତ୍ରବତ୍ସଳ ଓ ସମୟନୁରାଗୀ ଶିକ୍ଷକ ଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷାବିତ ମୋହନ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ଜୟଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସହକର୍ମୀ ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିଦାୟୀ ଶିକ୍ଷକ ବିଷ୍ଣୁ ପ୍ରସାଦ ଦାଶ ଓ ତାଙ୍କ ଧର୍ମପତ୍ନୀ ବୀଣାପାଣି ଦାଶଙ୍କୁ ମାନପତ୍ର ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଶାସଙ୍ଗ କ୍ଲଷ୍ଟର ସମେତ ଆଖପାଖ ବିଦ୍ୟାଳୟର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଯୋଗଦେଇଥିଲେ।


