ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ; ଅଭିଯୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ଲାଲବାଗ ଥାନାରେ ଏତଲା
କଟକ, (ଓ୍ବାଇଏନଏସ): ଥାନାରେ ପହଞ୍ଚିଲା ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ। ଏଭଳି ସାଙ୍ଘାତିକ ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ନିରପେକ୍ଷ ତଦନ୍ତକରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମାମଲା ରୁଜୁ କରାଯାଇଛି। କଟକ ଲାଲବାଗ ଥାନାରେ ଆଜି ଏତଲା ଦାୟର ହୋଇଛି । ଆଇନଜୀବୀ ନୀଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଏହି ଏତଲା ଦାୟର କରାଯାଇଛି। ସ୍କୁଲ ପାଠ୍ୟ ପୁସ୍ତକରେ ପ୍ରାୟ ୧୬୦୦ରୁ ଅଧିକ ତ୍ରୁଟି ରହିଛି ବୋଲି ସରକାରୀ ସ୍ତରରେ କୁହାଯାଇଥିଲା ବେଳେ ପ୍ରକୃତରେ ତିନି ହଜାରରୁ ଊର୍ଦ୍ଧ୍ୱ ତ୍ରୁଟି ରହିଥିବା ଏତଲାକାରୀ ଅଭିଯୋଗ କରିଛନ୍ତି । ଏହି ପାଠ୍ୟ ପୁସ୍ତକ ପ୍ରକାଶନରେ ରାଜ୍ୟ ରାଜକୋଷରୁ ପ୍ରାୟ ୭୫୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି । ଏହି କ୍ଷତି ସମ୍ପୃକ୍ତ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରିବାକୁ ଏତଲାରେ ଉଲେଖ କରାଯାଇଛି। ଏଭଳି ତ୍ରୁଟି ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଏହି ଷଡ଼ଯନ୍ତ୍ରରେ କେଉଁମାନେ ସାମିଲ ଅଛନ୍ତି ଓ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ସ୍ପଷ୍ଟ କରି ନାହାନ୍ତି। ତେଣୁ ଏହି ଘଟଣାରେ ଫୌଜଦାରୀ ମାମଲା ରୁଜୁ କରି ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାକାରୀ ଅଭିଯୋଗ କରିଛନ୍ତି।ଅଭିଯୁକ୍ତଙ୍କ ବିରୋଧରେ ବିଏନସର ଧାରା ୪୫, ୫୯, ୬୧, ୧୪୮, ୧୯୨, ୧୯୮, ୧୯୯, ୨୦୧, ୩୧୬(୫), ୩୧୮(୨), ୩୧୮(୩), ୩୨୪(୨), ୩(୫)ରେ ମାମଲା ରୁଜୁ କରିବାକୁ ଆଇନଜୀବୀ ମିଶ୍ର ଏତଲାରେ ଉଲ୍ଲେଖ କରିଛନ୍ତି । ଆଇନଜୀବୀ ନୀଶିକାନ୍ତ ମିଶ୍ର କହିଛନ୍ତି, ସ୍କୁଲ ପାଠ୍ୟପୁସ୍ତକରେ ଏପରି ତ୍ରୁଟି ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ଏବଂ ଓଡ଼ିଶାକୁ ଜାତୀୟ ସ୍ତରରେ ନିନ୍ଦିତ କରିଛି । ଏଥିପାଇଁ ଯେଉଁ ସ୍ତରର ବ୍ୟକ୍ତି ଦାୟୀ ହୁଅନ୍ତୁନା କାହିଁକି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି ।


