କ୍ରିକେଟ ଖେଳରେ ଗଣ୍ଡଗୋଳ ସାଙ୍ଗର ବ୍ୟାଟ୍ ମାଡରେ ନାବାଳକ ମୃତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରାଗ ପରମ ଚଣ୍ଡାଳ । ସାମାନ୍ୟ କଥାକୁ କେନ୍ଦ୍ର କରି ବନ୍ଧୁଙ୍କ ବ୍ୟାଟ୍ ମାଡ଼ରେ ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ଶନିବାର ହିଂଜିଳି ଥାନା ଖରିଡ଼ା ଗ୍ରାମରେ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର କେଶବ ସେଠିଙ୍କ ଏକମାତ୍ର ପୁତ୍ର ବିଭୁ ସେଠୀ (୧୩) । ନାବାଳକ ଜଣକ ହିଂଜିଳି ବ୍ଳକ ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର । ନାବାଳକଙ୍କ ଜେଜେ ବାପା ବିଜୟ ସେଠିଙ୍କ ଏତାଲା କ୍ରମେ ହିଂଜିଳି ଥାନା ନଂ- ୧୧୩/୨୦ ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଆକ୍ରମଣକାରୀ ନାବାଳକଙ୍କୁ ଥାନାରେ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଆସିକା ପୁଲିସ ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି । ପ୍ରକାଶ ଯେ, ଶନିବାର ସକାଳ ପ୍ରାୟ ସାଢେ ୯ ଘଂଟା ସମୟରେ ନାବାଳକ ଜଣକ ଫୋଖରୀକୁ ଗାଧୋଇବା ପାଇଁ କହି ଘରୁ ଯାଇଥିଲେ । ଗାଧୋଇବା ପରିବର୍ତେ ନାବାଳକ ଜଣକ ସାଙ୍ଗ ମାନଙ୍କ ସହ ଗ୍ରାମ ଆମ୍ବ ତୋଟାରେ କ୍ରିକେଟ ଖେଳିଥିଲେ । ଖେଳ ସମୟରେ କୌଣସି କଥାକୁ କେନ୍ଦ୍ର କରି ନାବାଳକ ସହ ଅନ୍ୟ ଏକ ନାବାଳକ ସାଙ୍ଗଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଜଣେ ନାବାଳକ ସାଙ୍ଗ ବ୍ୟାଟରେ ବିଭୁଙ୍କୁ ଶକ୍ତ ପ୍ରହାର କରିଥିଲେ । ବ୍ୟାଟ୍ ମାଡ଼ରେ ମୁଣ୍ଡରେ ଗଭୀର କ୍ଷତ ହେବା ସହ ଚେତାଶୂନ୍ୟ ହୋଇ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ । ପରିବାର ସଦସ୍ୟ ଚାଷ ଜମିକୁ ଯାଇଥିବା ସମୟରେ ଖବର ପାଇ ଘଟଣା ସ୍ଥଳକୁ ଆସି ଚେତାଶୂନ୍ୟ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଂଜିଳି ବ୍ଳକ ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ନାବାଳକ ଛାତ୍ରଙ୍କ ଘରେ ପଂହଚି ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଗୁରୁ- ଛାତ୍ର କଲ୍ୟାଣ ପାଣ୍ଠିରୁ ମୃତକଙ୍କପରରିବାର ବର୍ଗଙ୍କୁ ୧୦ ହଜାର ଯଙ୍କାର ଆର୍ଥୀକ ସହାୟତା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ କହିଛନ୍ତି । ଖବର ପାଇ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଆସିକା ପୁଲିସ ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପଂହଚିଥିଲେ ।
ପ୍ରକାଶ ଥାଉକି, ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ଗଁ ଗାଁ ବୁଲି ସଚେତନତା କରାଯାଉଥିଲେ ମଧ୍ୟ ଗ୍ରାମଂଚଳରେ କଟକଣାକୁ କେହି ଗୁରୁତ୍ୱ ଦେଉନଥିବା ପରିଲିକ୍ଷିତ ହୋଇଛି । ଅନ୍ୟ ପକ୍ଷରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲଗି ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ପ୍ରଦାନ କରିବା ସକାଶେ ଗୁରୁତ୍ୱାରୋପ କରାଯାଉଛି । ଲକଡ଼ାଉନ ସମୟରେ ଘରୁ ବାହାରକୁ ନବାହାରିବା ସକାଶେ ଏବଂ କୌଣସି ସ୍ଥାନରେ ୭ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକାଠି ନହେବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି, ଏହାକୁ ଅମାନ୍ୟ କଲେ ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଚେତାବନି ଦିଆଯାଇଥିଲେ ମଧ୍ୟ କଟକଣା କାର୍ଯ୍ୟକାରୀ ହେଉନଥିବା ଏବଂ ପ୍ରଶାସନର ୃିଲା ପଣ ପଦାରେ ପଡ଼ିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ