ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ

ଛତ୍ରପୁର, (ଓ୍ବାଇଏନଏସ): ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଜାରି ରହିଥିବା ବେଳେ ଜିଲ୍ଲାରେ ଯାତାୟାତ ବ୍ୟବସ୍ଥାକୁ ସ୍ୱାଭାବିକ ଓ ସୁରକ୍ଷିତ ରଖିବା ପାଇଁ ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ମଧ୍ୟ ସଜାଗ ହୋଇଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଜିଲ୍ଲାର ବିଭିନ୍ନ ରାସ୍ତା ଓ ଯାତାୟାତ ବ୍ୟବସ୍ଥା ଉପରେ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଗ୍ରାମ୍ୟ ସଡ଼କରେ ବର୍ଷାଜଳ ଜମି ଯାତାୟାତରେ ବାଧା ସୃଷ୍ଟି ହେଲେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ବିଶେଷକରି ତଳିଆ ଅଞ୍ଚଳ ଓ ବ୍ରିଜ୍‌ ନିକଟ ରାସ୍ତାରେ ପାଣି ଭାସିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଆବଶ୍ୟକ ସ୍ଥଳରେ ବ୍ୟାରିକେଡ୍‌ କରାଯାଇ ରାସ୍ତା ବନ୍ଦ କରାଯିବ। ଏଥିସହ ଜନସାଧାରଣଙ୍କୁ ସୁରକ୍ଷିତ ଯାତାୟାତ ନେଇ ସଚେତନ କରାଯିବ। ବିଭିନ୍ନ ଟୋଲ୍‌ଗେଟ୍‌ରେ ପରିବହନ ବିଭାଗର କର୍ମଚାରୀ ନିୟୋଜିତ ରହି ଯାତ୍ରୀ ଓ ଚାଳକମାନଙ୍କୁ ସୁରକ୍ଷିତ ଭାବେ ଯାତାୟାତ କରିବା ପାଇଁ ପରାମର୍ଶ ଦେବେ। ଏଥିସହ ଛତ୍ରପୁରସ୍ଥିତ ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବାତ୍ୟା ସମୟରେ ରାସ୍ତା ଉପରେ ପାଣି ଭାସିବା, ଗଛ ପଡ଼ି ରାସ୍ତା ଅବରୋଧ ହେବା କିମ୍ବା ଯାତାୟାତ ସମ୍ପର୍କିତ ଅନ୍ୟ କୌଣସି ସମସ୍ୟା ଦେଖାଦେଲେ ଜନସାଧାରଣ ଜିଲ୍ଲା ପରିବହନ କଣ୍ଟ୍ରୋଲ ରୁମ୍‌ ହେଲ୍ପଲାଇନ୍‌ ନମ୍ବର ୯୧୭୮୮୯୧୧୦୦ରେ ଯୋଗାଯୋଗ କରିପାରିବେ। ଏନେଇ ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ସ୍ୱାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବାତ୍ୟା ମୁକାବିଲା ଓ ଜିଲ୍ଲାରେ ଯାତାୟାତ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ପରିବହନ ବିଭାଗ ପକ୍ଷରୁ ୫ ଜଣ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ସେଥିମଧ୍ୟରୁ ୩ ଜଣ ନୋଡାଲ ଅଫିସରଙ୍କୁ ବିଭିନ୍ନ ବ୍ଲକ୍‌ର ଦାୟିତ୍ୱ ଦିଆଯାଇଛି। ଟ୍ରାଫିକ୍‌ ଇନ୍ସପେକ୍ଟରଙ୍କୁ ଆବଶ୍ୟକତା ଅନୁଯାୟୀ ଜିଲ୍ଲା ପ୍ରଶାସନକୁ ଯାନବାହନ ଯୋଗାଇଦେବା ଦାୟିତ୍ୱ ଦିଆଯାଇଥିବା ବେଳେ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ କଣ୍ଟ୍ରୋଲ ରୁମ୍‌ର ଦାୟିତ୍ୱ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ସମୟରେ ଜିଲ୍ଲାରେ ଯାତାୟାତ ବ୍ୟବସ୍ଥାକୁ ସୁରକ୍ଷିତ ଓ ସ୍ୱାଭାବିକ ରଖିବା ପାଇଁ ପରିବହନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ଆରଟିଓ ଦେବାଶିଷ ସ୍ୱାଇଁ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ