ଗଜପତି ପୋଲିସର ଦିବାରାତ୍ର ପଇଁତରା,ସକାଳ ୧୦ପରେ ଜିଲ୍ଲା ସାରା ଖାଁ ଖାଁ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଲକ୍‌ଡାଉନ୍ ଆଜି ୧୯ ଦିନରେ ପହଞ୍ଚିଲା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଲକ୍‌ଡାଉନ୍‌କୁ ଗଜପତି ଜିଲ୍ଲାରେ ବେଶ କଡାକଡି କରାଯାଇଛି । ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ସାରା ଜିଲ୍ଲାରେ ଦିବାରାତ୍ର ପଇଁତରା ମାରୁଛନ୍ତି । ତେଣୁ ସକାଳ ୧୦ଘଣ୍ଟା ପରେ ଜିଲ୍ଲା ସାରା ଜନଶୁନ୍ୟ ହୋଇ ଖାଁ ଖାଁ ଦେଖାଯାଉଛି । ସମଗ୍ର ଜିଲ୍ଲାରେ ପୋଲିସର ବାରମ୍ବାର ସଚେତନା ଓ ନିଷେଧ ସତ୍ୱେ ବିନା କାରଣରେ ଲକ୍‌ଡାଉନ୍ ନିୟମକୁ ଅମାନ୍ୟ କରୁଥିବା ୧୦୦ରୁ ଉର୍ଦ୍ଧ୍ୱ ବାଇକ୍ ଚାଳକଙ୍କୁ ଭନ୍ନଭିନ୍ନ ଭାବେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତ୍ତମାନ ସକାଳ ୬ଘଣ୍ଟା ଠାରୁ ୧୦ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ପନିପରିବା ଆଦି ଦୋକାନ ଖୋଲା ରହୁଛି । ସମଗ୍ର ଜିଲ୍ଲାରେ ପ୍ରାୟତଃ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଛି । ଅପରାହ୍ନ ୫ଘଣ୍ଟା ଠାରୁ ପୁଣି ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ପନିପରିବା ଆଦି ଦୋକାନ ଖୋଲା ରହୁଛି । ଆବଶ୍ୟକ ଥିବା ଲୋକେ କେବଳ ପାଦ ଚଲାରେ ସାମାଜିକ ଦୁରତା ରକ୍ଷା କରି ଦୋକାନରୁ କିଣୁଛନ୍ତି। ସମଗ୍ର ଜିଲ୍ଲାରେ ପୋଲିସ ବ୍ୟବସ୍ଥା କଠୋର କରାଯିବା ଯୋଗୁଁ ଲକ୍‌ଡାଉନ୍ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଏସପି ସାରା ଶର୍ମା ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ଲକ୍‌ଡାଉନ୍ ଠିକ୍ ଭାବେ ପାଳନ କରାଯିବା ପାଇଁ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଲୋକଙ୍କୁ ସଚେତନ କରୁଥିବା ଦେଖାଯାଇଛି । ଆଜି ସୁଦ୍ଧା ଗଜପତି ଜିଲ୍ଲାକୁ ବିଦେଶରୁ ୫୪ଜଣ ଏବଂ ରାଜ୍ୟ ବାହାରୁ ୪୭୨୩ ଜଣ ଫେରିଛନ୍ତି । ଖବର ଲେଖିବା ସୁଦ୍ଧା ଗଜପତି ଜିଲ୍ଲାରେ ଜଣେ ହେଲେ କରୋନାରେ ଆକ୍ରାନ୍ତ ହୋଇ ନାହାଁନ୍ତି । ତଥାପି ପ୍ରଶାସନ ତରଫରୁ ସମଗ୍ର ଜିଲ୍ଲାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ମୋଟ ୧୪୯ ଗୋଟି ଗ୍ରାମ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ କରୋନା ଲକ୍ଷଣ ଦେଖା ଗଲେ ଏଠାରେ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥି ସହ ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନାରେ କରୋନା ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ରହିଛି । ପାରଳା ସହର ଉପକଣ୍ଠରେ ଥିବା ସିୟୁଟିଏମ୍ ପରିସରରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ୱତନ୍ତ୍ର ଡାକ୍ତରଖାନା ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ସେବା ପାଇଁ ଖୋଲାଯାଇଛି । ଏଠାରେ ଜଣକୁ ସନ୍ଦେହଜନକ ଭାବେ ଆଇସୋଲେସନ୍ ୱାର୍ଡରେ ରଖାଯାଇ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ