ଭିଡିଓଗେମ୍ ଖେଳିଲେ ଦେବାକୁ ପଡ଼ିବ ଜରିମାନା
ଆଜିକାଲି ପିଲାଙ୍କ ପାଇଁ ଭିଡିଓଗେମ୍ ପାଲଟିଛି ସାଥୀ । ଘଣ୍ଟା ଘଣ୍ଟା ସେମାନେ ଏଇଥିରେ ବିତାଉଛନ୍ତି । କେବଳ ପିଲା ନୁହନ୍ତି, ବଡ଼ମାନେ ମଧ୍ୟ ଏହାର ମାୟାରେ ପଡ଼ିଯାଉଛନ୍ତି । ହେଲେ ଜାଣନ୍ତି କି ଏମିତି ଏକ ସ୍ଥାନ ଅଛି, ଯେଉଁଠି ଭିଡିଓ ଗେମ୍ ଖେଳିବା ଏକ ଅପରାଧ । ଏଥିପାଇଁ ଜରିମାନା ଦେବାକୁ ପଡିଥାଏ । ସେହି ସ୍ଥାନଟି ହେଉଛି ଗ୍ରୀସ୍ । ଏଠାକାର ସରକାର ଦେଶସାରା ସବୁ ଇଲେକ୍ଟ୍ରୋନିକ୍ ଗେମ୍ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି । ଏମିତିକି ଘରେ ବସି କମ୍ପ୍ୟୁଟରରେ କି ମୋବାଇଲରେ ମଧ୍ୟ ଭିଡିଓ ଗେମ୍ ଖେଳିବା ନିଷେଧ । ଏହି ନିୟମ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ ବି ଲାଗୁ । ତେଣୁ ଗ୍ରୀସ୍ ଭ୍ରମଣ ପାଇଁ ଇଚ୍ଛୁକ ବ୍ୟକ୍ତି ଏହି ନିୟମ ସମ୍ବନ୍ଧରେ ଜାଣିବା ନିହାତି ଜରୁରୀ । କାରଣ ଏହା ନ ଜାଣି ପାରି ଅନେକ ପର୍ଯ୍ୟଟକ ଭାରି ଜରିମାନା ଓ ଜେଲ୍ ଦଣ୍ଡ ବି ଭୋଗିଛନ୍ତି । ଇଣ୍ଟରନେଟ୍ କାଫେରେ ଏହି ନିୟମ ଲାଗୁ ହୋଇଛି । ଯଦି ଏଠାରେ କେହି ଇଣ୍ଟରନେଟ୍ ଚେସ୍ ଖେଳନ୍ତି କାଫେ ମାଲିକଙ୍କୁ ଜରିମାନା ଦେବାକୁ ହୁଏ । ଏମିତିକି କାଫେ ବନ୍ଦ କରିଦିଆଯାଏ । ଗ୍ରୀସ୍ ସରକାର ଦେଶରେ ଚାଲିଥିବା ବେଆଇନ ଗ୍ୟାମ୍ବଲିଂ ରୋକିବାକୁ ଯାଇ ଏହି ନିଷିଦ୍ଧାଦେଶ ଜାରି କରିଥିଲେ?