ମହିଳାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଯୁବକ ଗିରଫ

ହିଞ୍ଜିଳିକାଟୁ , (ଶେଷଦେବ ସାହୁ) : କୋର୍ଟରୁ କେସ୍ ଉଠାଇବା ପାିଁ ମହିଳାଙ୍କ ଉପରେ ଚାପ ପ୍ରୟୋଗ କରିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ହିଂଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହିଂଜିଳି ଥାନା ସିକିରି ଗ୍ରାମର ପ୍ରିତି ସୁନ୍ଦର ପ୍ରଧାନ ବୋଲି ଜଣାପଡିଛି । ଏ ନେଇ କେସ୍ ନଂ- ୧୩୮/୧୯ ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ ଶୁକ୍ରବାର ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସୂଚନା ଅନୁଯାୟୀ ହିଞ୍ଜିଳି ଥାନା ରାଳବ ଗ୍ରାମର ଉପେନ୍ଦ୍ର ବରଡ଼ଙ୍କ ଝିଅ ବନିତା କୁମାରୀ ବରଡ଼(୨୨) ଗତ ୨୦୧୬ ମସିହାରେ ଶିକ୍ଷକତା କରିବା ସକାଶେ ଯାମୁନୀ ଗ୍ରାମ ଶିଶୁ ମନ୍ଦିରକୁ ଯିବା ସମୟରେ ଶିକିରି ଗ୍ରାମର ପ୍ରିତିସୁନ୍ଦର ପିଛା କରୁଥିଲେ । ପରବର୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଦୁହେଁ ବିବାହ କରିବାକୁ ସ୍ଥିର କରି ଘରୁ ଲୁଚି ଫେରାର ହୋଇ ଯାଇଥିଲେ । ଗତ ୦୧.୦୯.୨୦୧୬ ତାରିଖରେ ଦୁହେଁ ଫୁଲବାଣୀ ଯାଇ ଜୈନିକ ଆଇନଜୀବିଙ୍କ ସହାୟତାରେ ନୋଟାରୀ ନିକଟରେ ରେଜିଷ୍ଟ ବିବାହ କରି ଏକ ହୋଟେଲରେ ରହିଥିଲେ । ଗତ ୦୨.୧୦.୨୦୧୭ ଗର୍ଭ ରହିଥିବା ଜାଣିପାରି ବନିତା , ଶଶୁର ଘରକୁ ନେବାକୁ ବାଧ୍ୟ କରିବାରୁ ଓøଷଧ ଦେଇ ଜୋର ଜବରଦସ୍ତ ଅବୈଧ ଗର୍ଭପାତ କରାଇଥିଲେ । ପରବର୍ତୀ ସମୟରେ ପ୍ରିତିସୁନ୍ଦରଙ୍କ ବ୍ରହ୍ମପୁର ସହରରେ କମ୍ପୁଟର ସର୍ଚ୍ଚୱାର୍କ ଚାଲିଥିବା ଯୋଗୁଁ ଅର୍ଥର ଆବଶ୍ୟକତା ଥିବା ଯୋଗୁଁ ପ୍ରିତିସୁନ୍ଦରଙ୍କୁ ,ବନିତା ୧ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ । ଗତ ୦୫.୦୪.୨୦୧୮ରେ ଦୁହେଁ ଗୋପାଳପୁର ଏକ ହୋଟେଲରେ ରହିବା ପରେ ଯୌତୁକ ବାବଦରେ ଅଧିକ ୩ ଲକ୍ଷ ଟଙ୍କା ବାପା ଘରୁ ଆଣିବାକୁ ପ୍ରିତିସୁନ୍ଦର, ବନିତାକୁ ବାଧ୍ୟ କରିଥିଲେ । ଶଶୁର ଘରକୁ ନେଇ ବୋହୁର ମର୍ଯ୍ୟଦା ଦେଲେ ଅଧିକ ଯୌତୁକ ଦେବାକୁ ବନିତା ରାଜି ହୋଇଥିଲେ । ଏହାପରେ ପ୍ରିତିସୁନ୍ଦର, ବନିତାକୁ ନେଇ ଭୂବନେଶ୍ୱରର ଏକ ରୁମରେ ରଖି ମାଡ଼ ମାରି ବାହନା କରି କୌଶଳକ୍ରମେ ଯୁବକ ଫେରି ଆସିଥିଲେ । ୩ ଦିନ ଧରି ଯୁବକ ଜଣକ ନଫେରିବାରୁ ବନିତା ଗ୍ରାମକୁ ଫେରିଆସି ଗାମର କୁଳ ସମାଜକୁ ଜଣାଇଥିଲେ ଗତ ୨୦.୦୫.୨୦୧୮ ତାରିଖରେ ଶିକିରି ନିକଟସ୍ଥ କୂରେଇଶୁଣି ମନ୍ଦିର ପ୍ରାଙ୍ଗଣରେ କୁଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୁଳ ସମାଜକୁ ବେଖାତିର କରିବା ସହ କୋର୍ଟରେ ବିଚାରଣା ହେବ ବୋଲି ଯୁବକଙ୍କ ପିତା କହିବା ସହ ଏହାକୁ ବିରୋଧ କଲେ ହତ୍ୟା କରିବାର ଧମକ ଦେଇଥିଲେ । ଏ ନେଇ ଗତ ୨୯.୦୫.୨୦୧୮ ତାରିଖରେ ବନିତା, ହିଞ୍ଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳିକାଟୁ ଥାନା କେଶ ନଂ- ୧୧୯/୧୮ରେ ଏକ ମାମଲା ଋଜୁ କରି ପୋଲିସ ଘଟଣାର ତଦନ୍ତ କରି ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଜେଲରୁ ବେଲରେ ଆସିବା ପରେ ଯୁବକ ଜଣକ ମହିଳାଙ୍କ ମୋବାଇଲକୁ ଅଶ୍ଳୀଳ ମେସେଜ ପଠାଇବା ସହ କୋର୍ଟରୁ କେଶ ଉଠାଇବା ପାଇଁ ଧମକ ଦେଇ ଆସୁଥିଲେ । ଏପରିକି ମହିଳାଙ୍କ ସହ ଅନୈତିକ ସମ୍ପର୍କର ଫଟୋକୁ ଭାଇରାଲ କରିବା ପାଇଁ ଧମକ ଦେବା ସହ କୋର୍ଟରୁ କେଶ ନଉଠାଇଲେ ହତ୍ୟା ଧମକ ଦେଇଥିଲେ ବୋଲି ମହିଳା ଜଣକ ହିଂଜିଳି ଥାନରେ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ