କୋରୋନା ଭୂତାଣୁ ମଣିଷ ତିଆରି: ନୋବଲ ବିଜେତା ମଣ୍ଟେଗନିୟର
ପ୍ୟାରିସ: ଫ୍ରେଞ୍ଚ ଭାଇରୋଲୋଜିଷ୍ଟ ତଥା ନୋବଲ ବିଜେତା ଲକ୍ ମଣ୍ଟେଗନିୟର କହିଛନ୍ତି ଯେ ସାର୍ସ-କଭ-୨ ବା କୋଭିଡ-୧୯ ଭୂତାଣୁ ମଣିଷ ତିଆରି। ଚୀନର ଉହାନରେ ଏକ ଲ୍ୟାବରେ ଏଡ୍ସ ନିରୋଧୀ ଭ୍ୟାକ୍ସିନ ପ୍ରସ୍ତୁତ କରିବା ବେଳେ ଏହି କୋଭିଡ-୧୯ ଭୂତାଣୁ ଜାତ ହୋଇଛି। ୨୦୦୮ରେ ଏଡ୍ସ ନେଇ ଗବେଷଣା କରି ନୋବଲ ପୁରସ୍କାର ହାସଲ କରିଥିବା ମଣ୍ଟେଗନେର ଓ ତାଙ୍କର ଆଉ ୨ ଚିକିତ୍ସାବିତ ଏପରି ବିସ୍ଫୋରକ ତଥ୍ୟ ରଖିଛନ୍ତି। ଉହାନ ନ୍ୟାସନାଲ ବାୟୋସେଫ୍ଟି ଲ୍ୟାବରେ କୌଣସି ଏକ ଇଣ୍ଡଷ୍ଟ୍ରିଆଲ ଆକ୍ସିଡେଣ୍ଟ କାରଣରୁ କୋଭିଡ-୧୯ ଭୂତାଣୁ ପଦାକୁ ଆସିଛି, ଏହା ଆଦୌ ନ୍ୟାଚୁରାଲ ନୁହେଁ ବୋଲି ସେମାନେ ଦାବି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଅନୁରୂପ ଅଭିଯୋଗ ଆଣିବା ସହ ଏନେଇ ତଦନ୍ତ ପାଇଁ ନିର୍ଦେଶ ଦେଇ ସାରିଛନ୍ତି। କୋରୋନା ଭୂତାଣୁକୁ ଆମେରିକା ଚୀନ ଭୂତାଣୁ କହିବା ସହ ଚୀନ ପାଇଁ ଆଜି ସାରା ବିଶ୍ବ ମହାମାରୀକୁ ସାମ୍ନା କରିଛି ବୋଲି ଅଭିଯୋଗ ଆଣିଛି। ଏଥିଯୋଗୁ ବିଶ୍ବ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ତେଣୁ ଚୀନ ବିରୋଧରେ ମିଳିତ ଭାବେ ପଦକ୍ଷେପ ନେବା ପାଇଁ ଆମେରିକା ଆଗକୁ ବଢ଼ୁଥିଲା ବେଳେ ଫ୍ରେଞ୍ଚ ଗବେଷକଙ୍କ ଏପରି ବିସ୍ଫୋରକ ବୟାନ ଚୀନ ପାଇଁ ଆଗକୁ ବିପଦର କାରଣ ହେବା ନେଇ ଆଶଙ୍କାକୁ ବଢ଼ାଇ ଦେଇଛି।


