ତହସିଲଦାରଙ୍କ ୨୦ ବର୍ଷର ପୁରୁଣା ଭିଜିଲାନ୍ସ ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ମନା
କଟକ (ଓ୍ବାଇଏନଏସ): କେବଳ ବିଳମ୍ବ ଆଧାରରେ ଫୌଜଦାରୀ ମାମଲାକୁ କୋର୍ଟ ରଦ୍ଦ କରି ପାରିବେ ନାହଁ। ଅଭିଯୋଗ କେଉଁ ଧରଣର, ମାମଲାରେ ସାକ୍ଷୀ ସଂଖ୍ୟା, ଟ୍ରାଏଲର ସ୍ଥିତି, ଅଭିଯୁକ୍ତଙ୍କ ଦ୍ୱାରା ମାମଲା ବିଳମ୍ବ କରିବା ପାଇଁ ଗ୍ରହଣ କରାଯାଇଥିବା କୌଶଳ ଭଳି କାରଣକୁ ଏଥିପାଇଁ ବିଚାରକୁ ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜଣେ ପୂର୍ବତନ ତହସିଲଦାରଙ୍କ ବିରୋଧରେ ବିଚାରାଧୀନ ଭିଜିଲାନ୍ସ ମାମଲାକୁ ରଦ୍ଦ କରିବାକୁହାଇକୋର୍ଟ ମନା କରିଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୟୁ.କେ.କରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଜାତୀୟ ରାଜପଥ ପାଇଁ ଅଧିଗ୍ରହଣ କରାଯାଇଥିବା ଏକ ଜମିରେ ଥିବା ଆମ୍ବ ଗଛ ଗୁଡ଼ିକର ଭୁଲ ମୂଲ୍ୟାୟନ ରିପୋର୍ଟ ଆଧାରରେ ଜମିମାଲିକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା। ଏଥି ପାଇଁ ସରକାର ୨ଲକ୍ଷ ୨୯ ହଜାର ୨ଶହ ଟଙ୍କା କ୍ଷତି ସହିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେତେବେଳେ ଆବେଦନକାରୀ ଖଲ୍ଲିକୋଟର ତହସିଲଦାର ତଥା ପ୍ରାଧିକୃତ ଅଧିକାରୀ ଥିଲେ। ୨୦୦୪ର ଏହି ଘଟଣା ହୋଇଥିବା ବେଳେ ୨୦୦୫, ସେପ୍ଟେମ୍ବର ୩୦ରେ ଭିଜିଲାନ୍ସ ଏତଲା ରୁଜୁ କରିଥିଲା। ୨୦୦୯, ଅକ୍ଟୋବର ୧୪ରେ ଆବେଦନକାରୀ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ କରିଥିବା ବେଳେ ୨୦୨୧, ନଭେମ୍ବର ୮ରେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ମାମଲାରେ ଚାର୍ଜଫ୍ରେମ ହୋଇଥିଲା। ଚାର୍ଜସିଟରେ ଉଲ୍ଲେଖ ୧୫ଜଣ ସାକ୍ଷୀଙ୍କ ମଧ୍ୟରୁ ୭ଜଣଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ହୋଇ ଶେଷ ହୋଇଥିବା ବେଳେ ମାମଲାର ଟ୍ରାଏଲ ଜାରି ରହିଛି। ୨୦୦୪ର ଘଟଣା ହୋଇଥିବା ବେଳେ ୨୦୨୬ରେ ମଧ୍ୟ ମାମଲାର ଫଏସଲା ହୋଇ ନାହିଁ। ଏଭଳି ବିଳମ୍ବ ଦ୍ବାରା ଅଭିଯୁକ୍ତଙ୍କ ତ୍ବରିତ ଶୁଶାଣିର ଅଧିକାର କ୍ଷୁଣ୍ଣ ହୋଇଛି ବୋଲି ଶୁଣାଣି ବେଳେ ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ୨୦୨୧ରେ ଜଣେ ସହଅଭିଯୁକ୍ତ ହାଇକୋର୍ଟରେ ରୁଜୁ କରିଥିବା ଆବେଦନରେ ଜାରି ଅନ୍ତରୀଣ ନିର୍ଦ୍ଦେଶ ପାଇଁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ବିଚାରାଧୀନ ମାମଲାର ଶୁଣାଣି ଆଗେଇ ପାରି ନଥିଲା। ଏଥି ସହିତ ୨୦୨୫ରେ ମଧ୍ୟ କଗନିଜାନ୍ସ ନିର୍ଦ୍ଦେଶକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ଓ ଏହାକୁ ପରବର୍ତ୍ତୀ ସମୟରେ ପ୍ରତ୍ୟାହାର କରି ନେଇଥିଲେ। ତେଣୁ ବିଳମ୍ବ ପାଇଁ କେବଳ ପ୍ରସିକ୍ୟୁସନ ଦାୟୀ ବୋଲି କୁହାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିବା ସହିତ ମାମଲାକୁ ଖାରଜ କରିଛନ୍ତି।


