କରୋନାର ସଫଳ ମୁକାବିଲା ପାଇଁ ୬ଜଣିଆ ଆନ୍ତଃମନ୍ତ୍ରୀମଣ୍ଡଳ ଟିମ ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୬ଟି ଆନ୍ତମନ୍ତ୍ରୀମଣ୍ଡଳୀୟ କେନ୍ଦ୍ରୀୟ କମିଟି ଗଠନ କରିଛନ୍ତି । ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଲାଗି ୨ଟି ଲେଖାଏଁ କମିଟି ଥିବାବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଲାଗି ଗୋଟିଏ ଲେଖାଏଁ ରହିଛି । ସେମାନେ ଘଟଣାସ୍ଥଳକୁ ଯାଇ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କ ସହିତ ଏହି ବିଷୟରେ ଆଲୋଚନା କରି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାରଗୁଡିକୁ ପରାମର୍ଶ ଦେବେ । ବିଶେଷ କରି ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ମୁମ୍ବାଇ ଓ ପୁନେ, ରାଜସ୍ଥାନର ଜୟପୁର ଏବଂ ପଶ୍ଚିମବଙ୍ଗର କୋଲକାତା, ହାୱାଡା, ପୂର୍ବମେଦିନାପୁର, ଉତ୍ତରଚବିଶ ପ୍ରଙ୍ଗଣା, ଦାର୍ଜିଲିଂ, କାଲିନପଙ୍ଗ ଓ ଜଳପାଇଗୁଡିରେ ପରିସ୍ଥିତି ଗମ୍ଭୀର ରହିଛି । ଆନ୍ତମନ୍ତ୍ରୀମଣ୍ଡଳୀୟ କେନ୍ଦ୍ରୀୟ ଦଳ ପ୍ରଣୀତ ନିୟମାବଳୀ ଅନୁସାରେ ଲକଡାଉନର କଟକଣା, କାର୍ଯ୍ୟକାରିତା, ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ, ସାମାଜିକ ଦୂରତା ରକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ସ୍ଥିତି, ବିଭିନ୍ନ ରିଲିଫ ଶିବିରରେ ରହୁଥିବା ଶ୍ରମିକ ଓ ଗରିବ ଲୋକଙ୍କ ଅବସ୍ଥା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ଉପରେ ଅନୁଧ୍ୟାନ କରିବ । ଏଠାରେ ସୂଚନା ଦିଆଯାଇପାରେ ଯେ, ହଟସ୍ପଟ ଜିଲ୍ଲା ବା ହଟସ୍ପଟ ହେବାକୁ ଯାଉଥିବା ଜିଲ୍ଲା ବା କୌଣସି ଜିଲ୍ଲାରେ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ଏପରି କିଛି ଗାଇଡଲାଇନର ଖିଲାପ ହେଉଛି ନା ନାହିଁ ତାହା ମଧ୍ୟ ଦେଖାଯିବ । ସେମାନଙ୍କର ରିପୋର୍ଟକୁ ବିଶ୍ଳେଷଣ କରି କେନ୍ଦ୍ର ସରକାର ଅନ୍ୟାନ୍ୟ ପଦକ୍ଷେପ ନେବେ । କେନ୍ଦ୍ର ସରକାର ଆପତ୍ତକାଳୀନ ପରିଚାଳନା ଆଇନ ୨୦୦୫ର ଧାରା- ୩୫(୧), ୩୫(୨)(ଏ), ୩୫(୨)(ଇ) ଓ ୩୫(୨)(ଆଇ) ବଳରେ ଏହି କମିଟି ଗଠନ କରିଛନ୍ତି । ଲକଡାଉନ କାଳରେ କଟକଣା ନିୟମାବଳୀ, ସଂଶୋଧିତ ନିୟମାବଳୀ ଓ ସେଗୁଡିକର କଡାକଡି ପାଳନ ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି । ଆପଦକାଳୀନ ପରିଚାଳନା ଆଇନ ୨୦୦୫ଅଧୀନରେ ପ୍ରଣିତ ନିୟମାବଳୀଗୁଡିକର ଯେପରି କୌଣସି ମତେ ଅଣଦେଖା କରାନଯାଏ ସେଥିପ୍ରତି ଧ୍ୟାନ ଦେବାକୁ କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ଗତ ୩୧ମାର୍ଚ୍ଚରେ ଦାୟର କରାଯାଇଥିବା ଏକ ରିଟ ଆବେଦନ ବଳରେ ରାଜ୍ୟ ସରକାର, ପ୍ରତ୍ୟେକ ନାଗରିକ ଓ ସମସ୍ତେ କେନ୍ଦ୍ର ସରକାର ଜାରି କରିଥିବା ସମସ୍ତ ନିୟମାବଳୀକୁ ଜନସାଧାରଣଙ୍କ ସୁରକ୍ଷା ଲାଗି ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ମଧ୍ୟ ଅବଗତ କରାଯାଇଛି । ଆନ୍ତଃମନ୍ତ୍ରୀମଣ୍ଡଳୀୟ କମିଟି ଆପଦକାଳୀନ ପରିଚାଳନା ଆଇନ ୨୦୦୫ଦ୍ୱାରା ପ୍ରଣିତ ଲକଡାଉନ କାଳରେ ଲାଗୁ କଟକଣାଗୁଡିକର ସମୀକ୍ଷା କରିବେ । ଏହାଛଡା ସେମାନେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ, ସାମାଜିକ ଦୂରତ୍ୱ ରକ୍ଷା, ହସ୍ପିଟାଲ ସୁବିଧା ଏବଂ ଜିଲ୍ଲାରେ ନମୁନାଗୁଡିକର ପରିସଂଖ୍ୟାନ, ସ୍ୱାସ୍ଥ୍ୟକର୍ମୀମାନଙ୍କର ସୁରକ୍ଷା, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉପଲବ୍ଧତା, ମାସ୍କ ଓ ଅନ୍ୟାନ୍ୟ ନିରାପତ୍ତା ଉପକରଣ, ବିଭିନ୍ନ ରିଲିଫ ଶିବିରରେ ରହୁଥିବା ଲୋକମାନଙ୍କ ସମ୍ପର୍କରେ ମଧ୍ୟ ତର୍ଜମା କରିବେ । ଖୁବ ଶୀଘ୍ର କମିଟି ଅଞ୍ଚଳଗୁଡିକ ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ