ଆବଶ୍ୟକ ସ୍ଥଳେ କ୍ଵାରେଣ୍ଟାଇନ୍ କେନ୍ଦ୍ରରେ ୧୪୪ ଧାରା ଜାରି କରାଯିବ
ଲକ୍ ଡାଉନ୍ ପରବର୍ତ୍ତୀ ବାହାର ଫେରନ୍ତାଙ୍କ ପାଇଁ ପ୍ରସ୍ତୁତି
ଛତ୍ରପୁର (ଓ୍ବାଇଏନ୍ଏସ୍) : ଲକ୍ ଡାଉନ୍ ପରେ ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ଯେଉଁ ମାନେ ଫେରିବେ ସେମାନଙ୍କ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ ଓ କରୋନା ଲଢେଇ ପାଇଁ ପ୍ରଦତ୍ତ ନିର୍ଦ୍ଦେଶାବଳୀ କୁ ଭିତ୍ତି କରି ଗଞ୍ଜାମ ଜିଲ୍ଲାକୁ କରୋନା ମୁକ୍ତ ରଖିବା ପାଇଁ ସର୍ବାଧୂକ ପ୍ରୟାସ କରାଯିବ । ଫେରନ୍ତାକର ଜିଲ୍ଲା ସ୍ତରୀୟ ପଞ୍ଜିକରଣ କାର୍ଯ୍ୟ ତୁରନ୍ତ ସାରିବାକୁ କୁହାଯାଇଛି । ଏଥିପାଇଁ ଅନ୍ ଲାଇନ୍ ସହିତ ଆବଶ୍ୟକୀୟ ଫର୍ମ ଯୋଗାଇ ଦେବାପାଇଁ ବ୍ଲକ୍ ଉନ୍ନୟନ ଅଧିକାରୀ ମାନଙ୍କୁ କୁହାଯାଇଛି । ରାଜ୍ୟ ସ୍ତରୀୟ ପଞ୍ଜିକରଣ କାର୍ଯ୍ୟ ଅପ୍ରେଲ ୨୪ ତାରିଖରୁ ଆରମ୍ଭ ହେବ ବୋଲି ସରକାର କହିଛନ୍ତି । ଜିଲ୍ଲାସ୍ତରୀୟ ପଞ୍ଜିକୃତ ମାନଙ୍କ ତଥ୍ୟ ରାଜ୍ୟ ତାଲିକାରେ ତୁରନ୍ତ ସଂଯୋଗ କରାଯିବ । ଯେଉଁମାନେ ଫେରିବେ ସେମାନଙ୍କ ସ୍ଵାସ୍ଥ୍ୟ ଯାଞ୍ଚ ସହିତ ସଂପୃକ୍ତ କ୍ଵାରେଣ୍ଟାଇନ୍ କେନ୍ଦ୍ରକୁ ନିଆଯିବ । ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା,
ଆନ୍ଧ୍ର ଓ ଦିଲ୍ଲୀ ପ୍ରଭୃତି ସ୍ଥାନରୁ ଗଞ୍ଜାମ ଅଧ୍ୟକ ଲୋକ ଆସିବେ । ଏହା ସବୁ କରୋନାର ହଟସ୍ପଟ୍ ହୋଇଥିବାରୁ ଫେରନ୍ତାଙ୍କ ପାଇଁ ଦାୟିତ୍ୱ ବଢ଼ିଯିବ । ବାହାର ଫେରନ୍ତା କୌଣସି ସ୍ଥାନୀୟ ଲୋକ ସହିତ କଥାବାର୍ତ୍ତା ହେବେ ନାହିଁ କିମ୍ବା ମିଶିବେ ନାହିଁ । କ୍ୟାରେଣ୍ଟାଇନ୍ କେନ୍ଦ୍ର ପରିସୀମା ମଧ୍ୟରୁ କୌଣସି ବ୍ୟକ୍ତି ବାହାରକୁ ବାହାରି ପାରିବେ ନାହିଁ । ଆବଶ୍ୟକ ସ୍ଥଳେ କ୍ଵାରେଣ୍ଟାଇନ୍ କେନ୍ଦ୍ର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯିବ । ଔଷଧ ଦୋକାନୀ ମଧ୍ୟ କୌଣସି ବିନା ମାସ୍କ ବ୍ୟକ୍ତିଙ୍କୁ ଔଷଧ ଦେବେ ନାହିଁ । ପେଟ୍ରୋଲ ପମ୍ପ ଗୁଡିକରେ ମାସ୍କ ପିନ୍ଧି ନଥିଲେ ତେଲ ମିଳିବ ନାହିଁ । ଯେଉଁ ସବୁ ଦୋକାନରେ ଗହଳି ହେଉଛି ସଂପୃକ୍ତ ଦୋକାନୀ ଓ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବ । କାର୍ଯ୍ୟାଳୟ ଗୁଡିକରେ କର୍ମଚାରୀ ମାନେ
ନିଶ୍ଚିତରୂପେ ମାସ୍କ ପିନ୍ଧି କାର୍ଯ୍ୟ କରିବେ l ଜିଲ୍ଲା ବାହାରକୁ ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ଯିବାକୁ ଥିଲେ ଉପଜିଲ୍ଲାପାଳ ଅନୁମତିପତ୍ର ପ୍ରଦାନ କରିବେ । ରାଜ୍ୟ ବାହାରକୁ ଯିବାର ଥିଲେ ଜିଲ୍ଲାପାଳଙ୍କ ଅନୁମତିପତ୍ର ଅପରିହାର୍ଯ୍ୟ । । ବୈଠକରେ ବ୍ରହ୍ମପୁର ଉପ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବିଜେଶ କୁମାର ରାଏ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର, ବ୍ରହ୍ମପୁର ମହା ନଗରନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ଅନାମ ଚରଣ ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର
ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧୁକାରୀମାନେ ଉପସ୍ଥିତଥିଲେ ।
Attachments area


