୨ ଯାଏ କାଳବୈଶାଖୀ
ଭୁବନେଶ୍ୱର:ଆସନ୍ତା ୩୦ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବା ସମ୍ଭାବନା ନାହିଁ । କିନ୍ତୁ ଆସନ୍ତା ୧ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବ ଓ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଣୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଅଞ୍ଚଳ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲି ରାତି ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅର୍ଥାତ ନିକୋବର ଦ୍ୱୀପରେ ଦକ୍ଷିଣ ପୂର୍ବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୩୦ ତାରିଖରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହା ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ୧ ତାରିଖରେ ଲଘୁଚାପରେ ପରିଣତ ହେବ । ପୁଣି ଘନୀଭୂତ ହୋଇ ୩ ତାରିଖ ବେଳକୁ ଅବପାତରେ ପରଣିତ ହେବ । ଆଣ୍ଡାମାନ ଦ୍ୱୀପ ଉପର ଦେଇ ଏହା ଗତି କରିବ । ୪ତାରିଖରେ ତାହା ଉତ୍ତର ଆଣ୍ଡାମାନରେ ପହଞ୍ଚିବ । ଏହା ପରେ ଉତ୍ତର ପୂର୍ବ ଦିଗରେ ଗତି କରି ମିଆଁମାର ମୁହାଁଇବ ।୫ ତାରିଖ ରାତିରେ ମିଅଁମାର ଉପକୂଳ ଅତିକ୍ରମ କରିବ । ତେବେ ଅବପାତ ପରେ ଏହା କେତେ ଘନୀଭୂତ ହେବ ଓ ବାତ୍ୟାରେ ପରିଣତ ହେବ କି ନାହିଁ ବର୍ତ୍ତମାନ ତାହା ସଠିକ କହିହେବ ନାହିଁ । ଯଦି ହୁଏ ବାତ୍ୟାର ନାମ ଆମ୍ଫାନ ରହିବ ।
ବର୍ତ୍ତମାନ ଓଡ଼ିଶା ଉପରେ ବାୟୁର ଚାପ ୧୧୦ ମିଲିବାର ଥିଲା ବେଳେ ମିଆଁମାର ଉପରେ ଅଧିକା ରହୁଛି । ଏହା ସହ ଉପର ବାୟୁମଣ୍ଡଳରେ ପଶ୍ଚିମା ପବନ ପାକିସ୍ତାନ ଆଡୁ ଓଡ଼ିଶା ଦେଇ ବାଲାଂଦେଶକୁ ପ୍ରବାହିତ ହେଉଛି । ମିଆଁମାରରେ ବଙ୍ଗୋପସାଗରରୁ ଆଣ୍ଡାମାନ ଦେଇ ମିଆଁମାର ଆଡକୁ ପ୍ରବାହିତ ହେଉଛି । ଏଥିରୁ ଜଣାପଡ଼ୁଛି ଯେ ଲଘୁଚାପଟି ମିଆଁମାର ଆଡେ ଗତି କରିବ, ଓଡ଼ିଶାକୁ ଆସିବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସେହିପରି ୨ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ କୋରାପୁଟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିପାଇଁ ସବୁ ଜିଲ୍ଲାରେ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୨ ତାରିଖ ଠାରୁ ରାଜ୍ୟରେ ସର୍ବାଧିକ ତାପମାତ୍ରା ବଢ଼ିବ । ଦକ୍ଷିଣ, ପଶ୍ଚିମ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ । ଉପକୂଳ ଓ ଉତ୍ତର ଓଡ଼ିଶାର ତାପମାତ୍ରା ୪ ତାରିଖ ସୁଦ୍ଧା ୩୭ ଡିଗ୍ରୀ ପାଖାପାଖି ରହିବ ବୋଲି ଅନୁମାନ କରାଯାଉଛି ।


