ସ୍ନେଲଫିସ୍: ଗରମରେ ତରଳୁଥିବା ମାଛ
ଗରମରେ ବରଫ ତରଳିବା ସାଧାରଣ କଥା । ମାତ୍ର ଯଦି କୁହାଯାଏ ଗରମରେ ମାଛ ବି ତରଳିପାରେ, ତେବେ କଥା ଉପରେ ଅନେକେ ବିଶ୍ୱାସ କରି ନ ପାରନ୍ତି । ହେଲେ ବୈଜ୍ଞାନିକମାନେ ଏଭଳି ଏକ ମାଛକୁ ଆବିଷ୍କାର କରିଛନ୍ତି, ଯାହାକୁ ପାଣି ଉପରକୁ ଆଣିବା ମାତ୍ରେ ତାହା ବରଫ ଭଳି ତରଳିଥାଏ । ଏହି ମାଛଟି ହେଲା ସ୍ନେଲଫିସ୍ । କ୍ୟାମେରା ମାଧ୍ୟମରେ ଏହି ମାଛର କିଛି ଫଟୋ ଉଠାଇବାରେ ବୈଜ୍ଞାନିକମାନେ ସଫଳ ମଧ୍ୟ ହୋଇଛନ୍ତି । ପ୍ରଶାନ୍ତ ମହାସାଗରର ୮ କି.ମି ତଳେ ମାଛର ଏହି ପ୍ରଜାତି ମିଳିଥାଏ । ସେହିଭଳି ପେରୁ ଏବଂ ଚିଲି ଉପକୂଳଠାରୁ ୧୬୦କି.ମି ଦୂର ତଲହଟିରେ ମଧ୍ୟ ଏହି ମାଛ ଥିବା ଜଣାପଡ଼ିଛି । ଏହା ଦେଖିବାକୁ ବଡ଼ ବିଚିତ୍ର । ସ୍ନେଲଫିସ୍ ସମୁଦ୍ର ତଳେ ରହିବାକୁ ପସନ୍ଦ କରିଥାଏ । କାରଣ ଏଠାରେ ପାଣି ଥଣ୍ଡା ଥାଏ । ଏହି ମାଛ ଜେଲି ପରି ହୋଇଥିବାବେଳେ ଦୁର୍ବଳ ହୋଇଥାନ୍ତି । ଫଳରେ ଉପରକୁ ଆସିବା କ୍ଷଣି ତରଳି ଯାଇଥାନ୍ତି । ଏହି ମାଛର କାନ ଏବଂ ଦାନ୍ତରେ ମଜଭୂତ ହାଡ଼ ରହିଥାଏ । ଏହା ତାକୁ ସମୁଦ୍ର ମଧ୍ୟରେ ପାଣିର ପ୍ରଖର ସ୍ରୋତକୁ ସମ୍ଭାଳି ନେବାରେ ସହାୟକ ହୋଇଥାଏ ।


