କଂଟେନମେଂଟ ଅଂଚଳରୁ ଲୁଚି ଦୋକାନ ଖୋଲିଥିଲେ
ଯାଜପୁର :କଂଟେନମେଂଟ ଅଂଚଳରୁ ଲୁଚି କରି ଆସି ଦୋକାନ ଖୋଲିଥିବା ବ୍ୟକ୍ତିକୁ କାବୁ କରି ସରକାରୀ କ୍ୱାରେଂଟିନ କେନ୍ଦ୍ରରେ ଛାଡିଲା ପୋଲିସ । ଯାଜପୁର ଥାନା ବିରଜାପୁର ଅଂଚଳରେ କୋରୋନା ରୋଗୀ ଚିହ୍ନଟ ହୋଇଥିବାରୁ ସେହି ଅଂଚଳକୁ କଂଟେନମେଂଟ କରିଛି ପ୍ରଶାସନ । ସେହି ଅଂଚଳର ସାଗର ଦାସ ନାମକ ଯୁବକ ଗାଁରୁ ଲୁଚି ଆସି ଯାଜପୁର ଟାଉନ ଯୋଡିକୂଅ ଛକରେ ଥିବା ଗ୍ୟାରେଜ ଖୋଲିଥିଲେ । ଏ ସଂପର୍କରେ ପୋଲିସ ଖବର ପାଇ ଯୁବକକୁ କାବୁ କରି ଏକ ଆମ୍ବୁଲାନ୍ସରେ ସରକାରୀ କ୍ୱାରେଂଟିନକୁ ପଠାଯାଇଥିଲା । ପରେ ଯାଜପୁର ପୌରପାଳିକା ପକ୍ଷରୁ ଗ୍ୟାରେଜକୁ ସଂପୁର୍ଣ୍ଣ ସାନିଟାଇଜ କରାଯାଇଛି । କଂଟେନମେଂଟ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଯୁବକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି ।


