ସମସ୍ୟାରେ ଗୋଚାଷୀ, ଦୁଗ୍ଧ କମ୍ପାନୀ ନେଉନଥିବାରୁ ତଳେ ଢାଳିବାକୁ ବାଧ୍ୟ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କରୋନା ସଂକ୍ରମଣ ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଗୋପାଳମନ କରୁଥିବା ଗୋଚାଷୀମାନେ ଏକ ବିରାଟ ସମସ୍ୟାର ସମ୍ମୁଖିନ ହୋଇଥିବା ଦେଖାଯାଇଛି । ସେମାନଙ୍କ ମଧ୍ୟରୁ ଅନେକ ଚାଷୀ ଋଣ କରି ଲକ୍ଷ ଲକ୍ଷ ଟଙ୍କାର ଦୁଧିଆଳି ଗାଇ କିଣି ଗୋପାଳନ କରି ଦୁଗ୍ଧ ସମିତିକୁ ଖିର ଦେଇ ସେହି ଅର୍ଥରେ ଋଣ ଶୁଝିବା ସହିତ ନିଜ ପରିବାର ଭରଣପୋଷଣ କରିଥାନ୍ତି । ଚାଷୀମାନେ ଗୋପାଳନ କରି ନିଜେ ସ୍ୱାବଲମ୍ବି ହେବା ସହିତ ଅନ୍ୟକୁ ରୋଜଗାର ଯୋଗାଇ ଦେବାର ସୁଯୋଗ ସୃଷ୍ଟି କରିଥିଲେ । କିନ୍ତୁ କରୋନା ସଂକ୍ରମଣ ଆଶଙ୍କାରେ ସରକାରଙ୍କ ଲକଡାଉନ ଦୀର୍ଘ ଦେଢମାସ ହେବ ଜାରି ରହିଥିବାରୁ ଏହି ଗୋଚାଷୀମାନଙ୍କ ଠାରୁ ଦୁଗ୍ଧ କମ୍ପାନୀ ଗୁଡିକ ଖିର ନେଉନଥିବାରୁ ସେମାନେ ମୁଣ୍ଡରେ ହାତଦେଇ ବସିଥିବାର ଦେଖିବାକୁ ମିଳିଛି । କରୋନା ଲକଡାଉନ ଯୋଗୁଁ ଗୋଚାଷୀଙ୍କ ମୁଣ୍ଡରେ ଋଣ ବୋଝ ବଢିଚାଲିଥିବା ବେଳେ ଅନ୍ୟପଟରେ ନିଜ ପରିବାରକୁ ଚଳାଇବା ବହୁ କଷ୍ଟକର ହୋଇପଡିଛି । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର କୋରୁଆ ଗ୍ରାମରେ ସରୋଜିନୀ ଡାଏରୀ ଫାର୍ମ କରିଥିବା ଗୋଚାଷୀ ରାମଚନ୍ଦ୍ର ଦାସ । ବ୍ୟାଙ୍କରୁ ଋଣ ଆଣି ଗ୍ରାମରେ ଏକ ଡାଏରୀ ଫାର୍ମ କରିଥିବା ଗୋଚାଷୀ ଶ୍ରୀ ଦାସ ଏବେ ତାଙ୍କ ଫାର୍ମରେ ୨ଟି ହଲିଷ୍ଟନ ଗାଇ , ୭ଟି ଜର୍ସି ଗାଇ ଓ ୫ଟି ବାଛୁରୀ ଥିବାର ଦେଖିବାକୁ ମିଳିଛି । ଦୈନିକ ୫୦ରୁ ୬୦ଲିଟର ଦୁଗ୍ଧ ସେ ଗାଇଗୁଡିକଙ୍କ ଠାରୁ ପାଉଥିବା ବେଳେ ସେହି ଦୁଗ୍ଧକୁ “ମିଲ୍କମୁଡ” ନାମକ ଏକ ବେସରକାରୀ ଦୁଗ୍ଧ କମ୍ପାନୀକୁ ବିକ୍ରୀ କରି ନିଜର ପରିବାର ପ୍ରତିପୋଷଣ ସହିତ ବ୍ୟାଙ୍କ ଋଣର କିସ୍ତି ପରିଷୋଧ କରିଥାନ୍ତି । କିନ୍ତୁ କରୋନା ଲକଡାଉନ ଯୋଗୁଁ ସଂପୃକ୍ତ ଦୁଗ୍ଧ କମ୍ପାନୀ ଦୁଗ୍ଧ ନେବା ବନ୍ଦ କରିଦେଇଥିବାରୁ ଗୋଚାଷୀ ଶ୍ରୀ ଦାସ ମୁଣ୍ଡରେ ହାତଦେଇ ବସିଛନ୍ତି । ସେ କେତେବେଳେ ଖିରକୁ ଗ୍ରାମର ଲୋକମାନଙ୍କୁ ବାଂଟିଦେଉଛନ୍ତି ତ ଅନ୍ୟ କେତେବେଳେ ବାଧ୍ୟ ହୋଇ ଖିରକୁ ତଳେ ଢାଳି ଦେଉଛନ୍ତି । ଦୁଗ୍ଧ କମ୍ପାନୀ ଖିର ନେଉନଥିବାରୁ ଅଧିକ ଖିର ପିଇ ତାଙ୍କର ଏକ ବାଛୁରୀର ମୃତ୍ୟୁ ହୋଇଯାଇଥିବା କହିଛନ୍ତି ଗୋଚାଷୀ ଶ୍ରୀ ଦାସ । କେମିତି ପରିବାର ଚଳାଇବେ ଓ କିଭଳି ବ୍ୟାଙ୍କ ଋଣ ଶୁଝିବେ ତାହା ତାଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେହିଭଳି ସେହି ଗ୍ରାମର ଅନ୍ୟଏକ ଚାଷୀ ଗୋବର୍ଦ୍ଧନ ଦାସଙ୍କ ପୁଅ ଅନିଲ କୁମାର ଦାସ ୭୫ଟି ମଇଁଷି ରଖି ଦୈନିକ ପ୍ରାୟ ୭୦ଲିଟର ଖିର ଦୁହିଁ ତାହାକୁ ବିକ୍ରୀ କରି ନିଜ ପରିବାର ପ୍ରତିପୋଷଣ ସହିତ ସେ କରିଥିବା ବ୍ୟାଙ୍କ ଋଣକୁ ଶୁଝିଥାନ୍ତି । କିନ୍ତୁ ଲକଡାଉନ ଯୋଗୁଁ ସେ ଖିର ବିକ୍ରୀ କରିନପାରି ବହୁ ସମସ୍ୟାର ସମ୍ମୁଖିନ ହେଉଥିବା କହିଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ସରକାର ଏହି ଗୋଚାଷୀମାନଙ୍କ ସମସ୍ୟାକୁ ସହୃଦୟତାର ସହିତ ବିଚାର କରି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ