ମାଙ୍କଡଗୋଡା ଗାଁରେ ରାଇରଙ୍ଗପୁର ପୋଲିସ ତରଫରୁ ଶୁଖିଲା ଖାଦ୍ୟ,ମାସ୍କ, ସାନିଟାଇଜେସନ ଓ ସାବୁନ୍ ବଣ୍ଟନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାମାରୀ’କରୋନା’ର ପ୍ରକୋପରେ ଜନ ଜୀବନ ଅସ୍ତବ୍ୟସ୍ତ । ଚାରିଆଡେ ଘେରାବନ୍ଦୀ । କାମଧନ୍ଦା କରି ନ ପାରି ହାତବାନ୍ଧି ବସିଛନ୍ତି ଖଟିଖିଆ ଶ୍ରେଣୀର ଲୋକେ ।ଜୀବନ ହୋଇଛି ଯନ୍ତ୍ରଣାଦାୟକ !ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକର ଓଡ଼ିଶା ସିମାନ୍ତ ଗୁହାଳଡାଙ୍ଗିରି ପଞ୍ଚାୟତର ବଣ ଜଙ୍ଗଲ ଘେରା ଦୁର୍ଗମ ଅଂଚଳ ମାଙ୍କଡଗୋଡା ଗାଁରେ ଥିବା ୩ଟି ଛୋଟ ବସ୍ତିରେ ଆଦିମ ଜନଜାତି ଖଡ଼ିଆ ଓ ମାଙ୍କଡିଆ ଜାତିର ଲୋକମାନେ ବସବାସ କରୁଛନ୍ତି ।ସେହି ବସ୍ତି ଗୁଡ଼ିକ ସରକାରଙ୍କ ଜନ କଲ୍ୟାଣ ଯୋଜନା ଅପହଞ୍ଚ । ସେଠାରେ ବିଦ୍ୟୁତ୍, ପିଇବା ପାଣି, ରାସ୍ତା ଘାଟ ବ୍ୟବସ୍ଥା ଏଯାଏଁ ପହଞ୍ଚି ପାରିଲା ନାହିଁ ।ଏହି ଅଂଚଳରେ ଶତପ୍ରତିଶତ ଜନଜାତି କୁ ସଭ୍ୟତା ଓ ପ୍ରଗତିର ବିକାଶ ଛୁଇଁ ନାହଁ । ସାଂପ୍ରତିକ ପରିସ୍ଥିତିରେ ଏମାନେ ମହାମାରୀ’କରୋନା’ କ’ଣ ଜାଣିବେ କେମିତି? ତେଣୁ ଏହିଭଳି ଅସେଚେତନ ଜନଜାତି ଲକ୍ ଡାଉନ୍ ପାଇଁ ଖାଦ୍ୟ ସୁରକ୍ଷା, ମହାମାରୀ’କରୋନା’ ନେଇ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ସ୍ନେହାଶିଷ ସାହୁ ଚିନ୍ତା କରିଥିଲେ । ଶୁକ୍ରବାର ଦିନ ପୁର୍ବାହ୍ନରେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ସ୍ନେହାଶିଷ ସାହୁ, ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁ, ସମାଜସେବୀ ଲକ୍ଷ୍ମଣ ଟୁଡୁ, ଗୁହାଳଢାଙ୍ଗିରୀ ସରପଞ୍ଚ ସୁକାନ୍ତି ମୁଣ୍ଡାରୀ ଏବଂ ପୋଲିସ ଟିମ ମାଙ୍କଡ ଘୋଡା ଗ୍ରାମରେ ପହଞ୍ଚି ଥିଲେ । ତିନୋଟି ବସ୍ତିର ୫୦ରୁ ଉର୍ଦ୍ଧ୍ବ ଅସହାୟ,ଅକର୍ମଣ୍ୟ,ଦିବ୍ୟଙ୍ଗ ,ବିନା କାର୍ଡ ଧାରୀଙ୍କୁ ଶୁଖିଲା ଖାଦ୍ୟ (ଚାଉଳ,ଚୂଡା,ଚିନି ଡାଲି),ବିସ୍କୁଟ, ଚକୋଲେଟ,ମାସ୍କ,ସାନିଟାଇଜେସନ, ଓ ସାବୁନ୍ ବଣ୍ଟନ କରିଥିଲେ ।ଚିର ଦୁଃଖୀ ମାଙ୍କଡିଆ ଓ ଖଡ଼ିଆ ପରିବାର ଲୋକେ ଆତ୍ମ ସନ୍ତୋଷର ସହିତ ଜିନିଷ ଗୁଡିକ ନେଇଥିଲେ । ପୋଲିସ ବାହିନୀର ବଦାନ୍ୟତକୁ ପ୍ରଶଂସା କରିଥିଲେ ।


