ଇଭିଏମ୍-ଭିଭିପାଟ ମେସିନ୍ରେ ଦ୍ୱିତୀୟ ପର୍ଯ୍ୟାୟ ମକ୍ପୋଲ ପ୍ରଦର୍ଶନ
ଇାଲେଶ୍ୱର(ଯୁଗାଦ୍ଦ ନ୍ୟୁଜ): ବାଲେଶ୍ୱର ଜିଲ୍ଲା କାର୍ଯ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ବ୍ଲକ୍ କାର୍ଯ୍ୟାଳୟଠାରେ ଇଭିଏମ୍-ଭିଭିପାଟ୍ ମେସିନ୍ରେ ଦ୍ୱିତୀୟ ପର୍ଯ୍ୟାୟ ମକ୍ପୋଲ ପ୍ରଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଭାବେ ଗଣମାଧ୍ୟମର ପ୍ରତିନିଧି ଏବଂ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସକାଶେ ଆୟୋଜନ କରାଯାଇଥିଲା । ସକାଳ ୧୦ ଘଟିକାରୁ ଏହା ଅପରାହ୍ନ ୫ଘଟିକା ଯାଏ ଉକ୍ତ କାର୍ଯ୍ୟାଳୟମାନଙ୍କରେ ପ୍ରଦର୍ଶନ କରାଯିବ । ଏହି ଉପଲକ୍ଷେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ରାଉତ, ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଶ୍ରୀ ନୀଲୁ ମହାପାତ୍ର ଉପସ୍ଥିତ ହୋଇ ଏହାର କାର୍ଯ୍ୟକାରିତା ସମ୍ବନ୍ଧରେ ଜନସାଧାରଣଙ୍କ ମନରେ ଥିବା ସନ୍ଦେହ ମୋଚନ ସକାଶେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏହା ଆୟୋଜିତ କରାଯାଇଥିବା ପ୍ରକାଶ କରିଥିଲେ । ଭୋଟିଂ ମେସିନ୍ର ପ୍ୟାନେଲ ବୋର୍ଡରେ ନିଜ ପସନ୍ଦର ପ୍ରାର୍ଥୀ ସପକ୍ଷରେ ବଟନ ଚିପିବା ପରେ ଭିଭିପାଟ ମେସିନ୍ରେ ସେହି କ୍ରମିକ ସଂଖ୍ୟା ଥାଇ ଏକ ସ୍ଲିପ୍ ବାହାରି ୭ ସେକେଣ୍ଡ ଯାଏଁ ସମ୍ପୃକ୍ତ ଭୋଟଦାନକାରୀଙ୍କ ପ୍ରତ୍ୟକ୍ଷ ଗୋଚର ସକାଶେ ରହିବା ପରେ ସିଲ୍ କରାଯାଇଥିବା ବାକ୍ସକୁ ଖସିପଡୁଛି ତାହା ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରକ୍ରିୟା କିପରି ନିର୍ଭୁଲ ଏବଂ ନିରପେକ୍ଷ ତାହା ପ୍ରଦର୍ଶନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ମନୋଜ କୁମାର ସେନାପତି, ସତ୍ୟଜିତ୍ ମହାନ୍ତି ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


