ବଡ଼ ଏକାଦଶୀ ଓ ବାହୁଡ଼ାଯାତ୍ରା ପାଇଁ ହିଂଜିଳିକାଟୁୂ ଜନଗହଳି

ହିଂଜିଳିକାଟୁ,  (ଶେଷଦେବ ସାହୁ): ଚଳିତ ବର୍ଷ ବାହୁଡ଼ା ରଥଯାତ୍ରା ସହ ହରିଶୟନ ବଡ଼ ଏକାଦଶୀ ଏକତ୍ର ପାଳିତ ହେଉଥିବା ଯୋଗୁଁ ପାବନଶ୍ରୀକ୍ଷେତ୍ର ପ୍ରଶାସନ ସେବା ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରିତ ହୋଇଥିଲା । ଫଳତଃ ଗୁଣ୍ଡିଚା ମଣ୍ଡପ ଠାରେ ଠାକୁର ମାନଙ୍କୁ ଭକ୍ତ ମାନଙ୍କ କୌଣସି ଭୋଗରାଗ କରିବା ନିଷେଧ କରାଯାଇଥିଲା । ଶୁକ୍ରବାର ଭୋର ୪ ଟାରୁ ବାହୁଡ଼ାଯାତ୍ରା ନୀତି ଆରମ୍ଭ ହୋଇ ମଙ୍ଗଳଆଳତି, କର୍ପୁରଆଳତି, ଖେଚୁଡ଼ିଭୋଗ ଅର୍ପଣ କରାଯାଇଥିଲା । ମଇଲମ ପରେ ଠାକୁର ମାନେ ପହଣ୍ଡି ବେଶରେ ସିଂହାସନରୁ ତଳକୁ ଓହ୍ଲାଇଥିଲେ । ଏଠାରେ ଠାକୁର ମାନଙ୍କୁ ସେନାପଟ ଓ ଟାହ୍ୟାଲାଗି କରାଯାଇଥିଲା । ରଥରେ ବାହୁଡ଼ାଯାତ୍ରାର ଆକର୍ଷଣୀୟ ବେଶ କରାଯାଇ ଆଳତି ଅର୍ପଣ କରାଯାଇଥିଲା ଏବଂ ସର୍ବସାଧାରଣଙ୍କ ଦର୍ଶନ ଓ ହରିଶୟନ ବଡ଼ ଏକାଦଶୀ ଭୋଗ ଅର୍ପଣ, ନଡ଼ିଆ ଭଙ୍ଗା ଅପରାହ୍ନ ପ୍ରାୟ ୨ ଟା ପର୍ଯ୍ୟନ୍ତ ଜାରୀ ରହିଥିଲା । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଭକ୍ତ ମାନଙ୍କ ବିପୁଳ ସମାଗମରେ ସାରା ସହର ଚଳଚଂଚଳ ହୋଇ ଉଠିଥିଲା । ଆନୁସଙ୍ଗିକ ସେବା ପୂଜା ଓ ନୀତି ପରେ ଅପରାହ୍ନ ପ୍ରାୟ ସାଢେ ୪ ଟାରେ ସେବାଧିପତି ଲିଙ୍ଗରାଜ ସାହୁ ଭବ୍ୟ ପଟୁଆରରେ ଆସି ରଥରେ ଛେରାପହଁରା ନୀତି ସମ୍ପର୍ଣ୍ଣ କରିଥିଲେ । ତାହାପରେ କ୍ରମାନ୍ୱୟରେ ସାରଥୀ ଉପବେଶନ, ଘୋଡ଼ାଯୋଚା ଓ ରଥଦଉଡ଼ି ବନ୍ଧନ କରାଯାଇଥିଲା । ଅପରାହ୍ନ ପ୍ରାୟ ୫ ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ରଥ ସେବାଧିପତିଙ୍କ ଉଆସ ସମ୍ମୁଖରେ ଅଟକିବା ପରେ ସେବାଧିପତିଙ୍କ ପରିବାର ପକ୍ଷରୁ ମହାପ୍ରଭୁଙ୍କ ସ୍ୱବତନ୍ତ୍ର ସେବା, ଆଳତି ସାଙ୍ଗକୁ ମାଉସୀ ‘ ମା ପୋଡ଼ପିଠା ଭୋଗ କରାଯାଇଥିଲା । ଇତ୍ୟବସରରେ ପାବନଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରୁ ମା’ ମହାଲକ୍ଷ୍ମୀ ନିଜ ଷଡ଼ଚକ୍ର ଯାନ ରଥାରୂଢ ହୋଇ ବିଭିନ୍ନ ବାଦ୍ୟ ବାଜଣା ସହ ବିରାଟ ପଟୁଆରରେ ରଥ ନିକଟକୁ ଆସିଥିଲେ । ଏଠାରେ ମହାପ୍ରଭୁଙ୍କ ଆଞାମାଳ ତାଙ୍କୁ ପ୍ରଦାନ କରାଯାଇଥିଲା ଓ ଶ୍ରୀଜଗନ୍ନାତଙ୍କ ସହ ମା’ ମହାଲକ୍ଷ୍ମୀଙ୍କ ସହ ଭେଟ ଓ ବନ୍ଦାପନା କରାଯାଇଥିଲା । ମହାପ୍ରଭୁ କଂଟ ଅନୁସାରେ ଶ୍ରୀମନ୍ଦିରକୁ ବାହୁଡ଼ାଯାତ୍ରା କରୁଥିବା ନିଶ୍ଚିତ ଜାଣିବା ପରେ ମହାଲକ୍ଷ୍ମୀ ସନ୍ତୋଷ ପ୍ରକଟ କରି ସ୍ୱମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ । ପରେ ପୁନଶ୍ଚ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୭ ଟା ସୁଦ୍ଧା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥ ପଂହଚିଥିଲା । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର, ସଭାପତି ଜଗନ୍ନାଥ ସାହୁ, ସମ୍ପାଦକ ଲୋକନାଥ ସାହୁ, ଧନସେବକ ହରିହର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଶିବରାମ ପଟ୍ଟନାୟକ, ନୃସିଂହ ପ୍ରସାଦ ପଟ୍ଟନାୟକ, ଜଗନ୍ନାଥ ସାହୁ, ମନୋଜ ପାଢି, ମନମୋହନ ଦାଶ, ପ୍ୟାରୀମୋହନ ପାଢି, ବିଶୁ ସାହୁ, ଶିଶିର ପଣ୍ଡା, ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ଅଶୋକ ସାମନ୍ତରା, ସୁଦର୍ଶନ ପାଣିଗ୍ରାହୀ, ଯୁଗଳ ପଣ୍ଡା, ଯୋଗିନ୍ଦ୍ର ପାଣିଗ୍ରାହୀ, ଟୁଟୁ ମୁନି, ରଥଯାତ୍ରା ଓ ଗୁଣ୍ଡିଚା ଯାତ୍ରା କମିଟି ସଦସ୍ୟ, ତ୍ରିରଙ୍ଗା ଯୁବକ ସଙ୍ଘ, ମନ୍ଦିର ସ୍ୱେଛାସେବୀ ମାନେ ବାହୁଡ଼ାଯାତ୍ରା ପରିଚାଳନାରେ ଅଂଶଗ୍ରହଣ କରିଥିଲେ । ବାହୁଡ଼ାଯାତ୍ରା ସକାଶେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ପୌର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୂପ ଭାବେ ହିଂଜିଳିକାଟୁ ପୌରାଂଚଳ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ପକ୍ଷରୁ ଅନୁଷ୍ଠିତ ବାହୁଡ଼ାଯାତ୍ରାରେ ହିଂଜିଳିକାଟୁ ରାଜା ସାହେବ ଲଲାଟେନ୍ଦୁ କିଶୋର ଭଂଜଦେଓ ରଥ ରଥ ଉପରେ ଛେରାପହଁରା କରିବା ପରେ ଶୁକ୍ରବାର ପୂର୍ବାହ୍ନରେ ହିଁ ରଥଟଣା ଆରମ୍ଭ ହୋଇଥିଲା । ସେହିପରି ପାଟଣା ସାହି ଏବଂ ସ୍ଥାନୀୟ ବ୍ଳକର ବୁରୁପୋଡ଼ା, ସାରୁ, କଂଚୁରୁ, ଦୁର୍ବନ୍ଧ ସମେତ ନିକଟବର୍ତି ବିଭିନ୍ନ ଗ୍ରାମରେ ବାହୁଡ଼ାଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ