କରୋନା ମୁକାବିଲା: ଦିଲ୍ଲୀକୁ ସାହାଯ୍ୟ କରିବ କେନ୍ଦ୍ର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହୋଇପଡ଼ିଛି। କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ସପ୍ତାହ ପର୍ଯ୍ୟନ୍ତ କରୋନା ରୋଗୀଙ୍କ ପାଇଁ ୨୦ହଜାର ଅତିରିକ୍ତ ଶଯ୍ୟାର ବ୍ୟବସ୍ଥା କରାଯାଉ, କିଛି ହୋଟେଲକୁ ଆଇସୋଲେସନ୍‌ ଓ୍ଵାର୍ଡ ଭାବେ ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୈଠକରେ କହିଥିଲେ। ବୈଠକ ପରେ ଦିଲ୍ଲୀରେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରରେ ଥିବା ମୋଦୀ ସରକାର ତୁରନ୍ତ ଦିଲ୍ଲୀକୁ ୫୦୦ଟି ରେଳ କୋଚ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରେଳ କୋଚ୍ କେବଳ ଦିଲ୍ଲୀରେ ୮୦୦୦ ଶଯ୍ୟା ବୃଦ୍ଧି କରିବା ସହ କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ଏହି କୋଚ୍ ସମସ୍ତ ସୁବିଧା ଯୋଗାଇଦେବ ବୋଲି ଅମିତ ଶାହା ଟ୍ୱିଟ୍ କରିଛନ୍ତି। ଅନ୍ୟ ଏକ ଟୁଇଟରେ ଗୃହମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ କୋଭିଡ-୧୯ ପରୀକ୍ଷା ଦ୍ୱିଗୁଣିତ ହେବ ଏବଂ ୬ଦିନ ପରେ ତିନି ଗୁଣ ବୃଦ୍ଧି ପାଇବ। ଏହା ସହ ଜାତୀୟ ରାଜଧାନୀର କଣ୍ଟେଣ୍ଟମେଣ୍ଟ ଜୋନରେ କଣ୍ଟାକ୍ଟ ମ୍ୟାପିଂରେ ଉନ୍ନତି ଆଣିବା ପାଇଁ ଘରକୁ ଘର ବ୍ୟାପକ ସ୍ୱାସ୍ଥ୍ୟ ସର୍ଭେ କରାଯିବ ଏବଂ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଆସିବ । ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୨୧୯ଟି କଣ୍ଟେଣ୍ଟମେଣ୍ଟ ଜୋନ ରହିଛି | ଏହି ମହାମାରୀର ମୁକାବିଲା କରିବା ପାଇଁ ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର ଏବଂ ପଲ୍ସ ଅକ୍ସିମିଟର ସମେତ ଆବଶ୍ୟକୀୟ ଉପକରଣ ଯୋଗାଇଦେବାକୁ କେନ୍ଦ୍ର ଦିଲ୍ଲୀ ସରକାରଙ୍କୁ ଆଶ୍ୱାସନା ଦେଇଛି ବୋଲି ଶାହା କହିଛନ୍ତି। ସୂଚନା ମୁତାବକ, ଦିନକୁ ୭,୦୦୦ ନମୁନା ପରୀକ୍ଷା କରାଯାଉଥିବା ବେଳେ ଏହା ୫୦୦୦କୁ ହ୍ରାସ ପାଇବା ପରେ ଏ ନେଇ ବିବାଦ ଆରମ୍ଭ ହୋଇଥିଲା | ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଏ ନେଇ ଉତ୍ତର ମାଗିବା ସହ କେଉଁଭଳି ଭାବରେ ସ୍ଥିତିକୁ ସମ୍ଭାଳୁଛନ୍ତି ସେ ନେଇ ପ୍ରଶ୍ନ କରିଥିଲେ । ଦିଲ୍ଲୀ ହାଇକୋର୍ଟ ସହ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଚାପ ପଡ଼ିବା ପରେ ଦିଲ୍ଲୀ ସରକାର ଚେତିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ