ସେଲିବ୍ରିଟି ଆତ୍ମହତ୍ୟା କରିବାର କାରଣ?

ଜଣେ ସେଲିବ୍ରିଟି ଭାବେ ପରିଚୟ ହାସଲ କରିବା ପାଇଁ କେତେ ଶ୍ରମ ବ୍ୟୟ କରିବାକୁ ପଡ଼େ, ତାହା କେବଳ ଜଣେ ଅନୁଭବୀ ହିଁ ଜାଣେ। ଥରେ ସେଲିବ୍ରିଟିର ପରିଚୟ ହାସଲ କଲା ପରେ ଜଣେ ମଣିଷର ଭାଗ୍ୟ ପୂରାପୂରି ବଦଳିଯାଏ। ତଥାପି ସେହି ପରିଚୟକୁ ଜୀବନବ୍ୟାପି ବଜାୟ ରଖିବାକୁ ସଂଘର୍ଷ ଜାରି ରଖିବାକୁ ପଡ଼େ। କିନ୍ତୁ ଜଣେ ସେଲିବ୍ରିଟି ଯଦି ଆତ୍ମହତ୍ୟା କରେ, ତାହାକୁ ନେଇ ଅନେକ ପ୍ରଶ୍ନ। ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବାସ୍ତବରେ ଯେ କୌଣସି ଭାରତୀୟ ସିନେପ୍ରେମୀଙ୍କ ପାଇଁ ଚକିତ କରିଦେବା ଭଳି ଖବର। ତାଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ବଡ଼ ବଡ଼ ରାଜନେତା, କ୍ରୀଡ଼ାବିତ ଓ ସିନେଜଗତର ନାମୀଦାମୀ ବ୍ୟକ୍ତିତ୍ବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତେବେ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି। ସବୁକିଛି ଥାଇ ବି ସେଲିବ୍ରିଟିମାନେ କାହିଁକି ଆତ୍ମହତ୍ୟା କରିଥାନ୍ତି? ମନୋବିଜ୍ଞାନୀଙ୍କଠାରୁ ଏହାର ଉତ୍ତର ଜାଣିବା।
କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ଟିଭି ସାକ୍ଷାତକାରରେ ସ୍ବୀକାର କରିଥିଲେ ଯେ ସେ ଦୀର୍ଘ ଦିନ ହେଲାଣି ଡିପ୍ରେସନର ଶିକାର ଥିଲେ। ଅନେକ ସେଲିବ୍ରିଟି ଏଭଳି ମାନସିକ ରୋଗର ଚିକିତ୍ସା କରି ଠିକ୍ ହୋଇସାରିଛନ୍ତି। କିନ୍ତୁ ଅନେକ ସମୟରେ ଅବସାଦ ରୋଗ ଏତେ ଗମ୍ଭୀର ହୋଇଯାଏ ଯେ ଶେଷରେ ଏହା ଆତ୍ମହତ୍ୟାର ରୂପ ନେଇଥାଏ।
ସୁଶାନ୍ତ ସିଂ ରାଜପୁତ, ଜିୟା ଖାନ, ଦିବ୍ୟା ଭାରତୀ, ଗୁରୁ ଦତ୍ତ, ପରବିନ ବାବି, ମନମୋହନ ଦେଶାଇ, କୁଲଜିତ ରନ୍ଧାୱା, ନଫିସା ଜୋସେଫ, ପ୍ରତ୍ୟୁଷା ବାନାର୍ଜୀଙ୍କ ଭଳି ଅନେକ ନାମୀ ଓ ଜଣାଶୁଣା ସେଲିବ୍ରିଟି ଆତ୍ମହତ୍ୟାକୁ ବାଛିନେଇଛନ୍ତି। ଏହି ସେଲିବ୍ରିଟିମାନେ କୌଣସି ନା କୌଣସି କାରଣ ପାଇଁ ଏଭଳି ଚରମ ପନ୍ଥା ଆପଣାଇଥିବା ବେଳେ ଏ ପର୍ଯ୍ୟନ୍ତ ଅନେକଙ୍କ ଆତ୍ମହତ୍ୟାର କାରଣ ରହସ୍ୟ ହୋଇ ରହିଯାଇଛି। ମନୋଚିକିତ୍ସକ ମତ ହେଲା, କେବଳ ବଲିଉଡ୍ ନୁହେଁ, ବରଂ ହଲିଉଡରେ ମଧ୍ୟ ବଡ଼ ସେଲିବ୍ରିଟିଙ୍କ ଆତ୍ମହତ୍ୟା ଖବର ଶୁଣିବାକୁ ମିଳିଥାଏ। ପାଖାପାଖି ସମସ୍ତ କଳାକାରଙ୍କ ଉପରେ ସାମାଜିକ ଚାପ ରହିଥାଏ। ଏହି ସେଲିବ୍ରିଟିମାନେ କଡ଼ା ପରିଶ୍ରମ ପରେ ହିଟ୍ ଫିଲ୍ମ ଓ ବଡ଼ ନାଁ କରିବାର ଆଶା କରିଥାନ୍ତି। ତେବେ ଫିଲ୍ମ ହିଟ୍ ହେବା ନ ହେବା ପଛରେ ଅନେକ କାରଣ ରହିଥାଏ। ଏପରିସ୍ଥଳେ ଏହି ସେଲିବ୍ରିଟି ଆତ୍ମହତ୍ୟାକୁ ସହଜ ଉପାୟ ଭାବେ ଗ୍ରହଣ କରି ନେଉଛନ୍ତି। ଆତ୍ମହତ୍ୟା କରିବାର ଏକ ସିଧା କାରଣ ହେଉଛି ବ୍ୟକ୍ତି ମାନସିକ ରୋଗୀ ହୋଇଥାନ୍ତି। ସିନେମା ଜଗତରେ ମାନସିକ ଓ ସାମାଜିକ ଚାପ ସେଲିବ୍ରିଟିଙ୍କ ପାଇଁ ସାଧାରଣ କଥା। କିନ୍ତୁ ଅନେକ ସମୟରେ ରୋଗ ଗମ୍ଭୀର ହୋଇଯାଇ ପରେ ତାହା ଆତ୍ମହତ୍ୟାର ରୂପ ନେଇଥାଏ। ଏହି କାରଣରୁ ଅଧିକାଂଶ ମନୋରୋଗୀ ବିଶେଷଜ୍ଞ କୌଣସି ମାନସିକ ସମସ୍ୟା ହେଲେ ଚିକିତ୍ସା କରିବାକୁ ପରାମର୍ଶ ଦେଇଥାନ୍ତି। ଆଶା ଠାରୁ ଅଧିକ ସଫଳତା ମିଳିବା ପରେ ହଠାତ୍ ପ୍ରତିଷ୍ଠା କମ୍ ହୋଇଯିବା କାରଣରୁ ମଧ୍ୟ ମଣିଷ ଅବସାଦର ଶିକାର ହୋଇପାରନ୍ତି। ଏହାବ୍ୟତୀତ କାମ କିମ୍ବା ଅନ୍ୟ କୌଣସି ପେସାରେ ଶିଖରରେ ପହଞ୍ଚିବା ଲାଗି ଅନେକ ଲୋକଙ୍କୁ ପରିବାର କିମ୍ବା ରୋମାଣ୍ଟିକ୍ ରିଲେସନଶିପ ଭଳି ଜିନିଷକୁ ବଳି ଦେବାକୁ ପଡ଼ିଥାଏ। ଗୋଟିଏ ସମୟ ପରେ ଏହି ଲୋକମାନଙ୍କ ସହଯୋଗ ଜଣେ ସାଧାରଣ ଲୋକ ତୁଳନାରେ ବେଶ୍ ଦୁର୍ବଳ ହେବାରେ ଲାଗିଥାଏ। ଯାହା ଅବସାଦର କାରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ