ଦିବ୍ୟ ସ୍ନାନଯାତ୍ରା


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ନୀଳାଚଳ ନାଥ କାଳିଆ ସାଆନ୍ତ
ଭାଇ ଭଉଣୀକୁ ନେଇ
ଜ୍ୟେଷ୍ଠ ପୂର୍ଣ୍ଣିମାରେ ସେବକ ସଙ୍ଗରେ
ଆସନ୍ତି ମନ୍ଦିରୁ ସେହି
ସାତ ପାହାଚରେ ରହି
ଚୂଳ ଟାହିଆରେ ସଜାଇ ହୁଅନ୍ତି
ମଙ୍ଗଳ ଅର୍ପଣ ପାଇ ।।

ଚତୁର୍ଦ୍ଧା ମୁରତି ଧାଡି ପହଣ୍ଡିରେ
ଯାଆନ୍ତି ସ୍ନାନ ମଣ୍ଡପ
ଏକ ପରେ ଏକ ପିଣ୍ଡିରେ ବସନ୍ତି
ହରନ୍ତି ପାପୀଙ୍କ ପାପ
ଲୀଳାମୟ ଲୀଳା ଦେଖି
ଅଧିବାସ ଜଳ ଆଣନ୍ତି ସହଳ
ଚନ୍ଦନ କର୍ପୂର ମାଖି ।।

ଏକଶତ ଆଠ ସୁବାସିତ ଜଳୁ
ପଞ୍ଚତିରିଶିଟି ଗରା
ଜଗନ୍ନାଥ ପ୍ରଭୁ ସ୍ନାନ ଯେ କରନ୍ତି
ଆନନ୍ଦିତ ହୁଏ ଧରା
ତେତିଶି ବଳଭଦ୍ରଙ୍କୁ
ବାଇଶି ସୁଭଦ୍ରା ଅଠର ଆଣିଣ
ଢାଳନ୍ତି ସୁଦର୍ଶନଙ୍କୁ।।

ରାଜ ରାଜେଶ୍ୱର ଜୀବନ୍ତ ଠାକୁର
ମହାପ୍ରଭୁ ଚକାଡୋଳା
ଭକ୍ତଲାଗି ନାଥ ଗଜାନନ ହୁଅ
ବିଚିତ୍ର ତୁମର ଲୀଳା
ଅଧମ ହେମନ୍ତ ମୁହିଁ
ହର ବ୍ରହ୍ମାଙ୍କୁ ଯା ଲୀଳା ଅଗୋଚର
କିପରି ବର୍ଣ୍ଣିବି ସାଇଁ ।।
ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ ,
କବିସୂର୍ଯ୍ୟ ନଗର ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ