ବାଇକ୍କୁ ଧକ୍କା ଦେଲା ଟାଟା ଏସି: ଡାକ୍ତରୀ ଛାତ୍ର ଗୁରୁତର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ-ବାରିକପୁର ରାସ୍ତାର ତଥା ବନ୍ତ ଥାନା ଅଧିନ କେନ୍ଦୁଆପଦା ଛକସ୍ଥିତ ଭାରତ ପେଟ୍ରୋଲ ପମ୍ପ ଛକ ନିକଟରେ ଏକ ବାଇକ୍କୁ ଟାଟା ଏସି ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ତଥା ଡାକ୍ତରୀ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ସୋମବାର ଦିନ ୧୧ଟା ବେଳେ କେନ୍ଦୁଆପଦା ଛକସ୍ଥିତ ଭାରତ ପେଟ୍ରୋଲ ପମ୍ପ ଛକ ନିକଟରେ ସିଲନ୍ଦି ଗ୍ରାମର ପିଣ୍ଟୁ କୁମାର ଜେନା ଏକ ବାଇକ୍ ଯୋଗେ ଆସୁଥିବା ବେଳେ ଓଡି-୨୨କ୍ୟୁ-୩୭୩୧ ନମ୍ବର ଟାଟା ଏସି ତାଙ୍କୁ ଧକ୍କା ଦେଇଥିଲା । ସେ ତଳେ ପଡି ଛଟପଟ ହେଉଥିବା ବେଳେ ଗାଡି ଚାଳକ ଟାଟା ଏସିକୁ ନେଇ ପଳାଇ ଯାଇଥିଲୋ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବନ୍ତ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଥିଲା । ତାଙ୍କ ବାମ ହାତର ହାଡ ଭାଙ୍ଗି ଯିବା ସହ ତଳି ପେଟରେ ମାଡ ହୋଇଥିବା ବେଳେ ହାତର ଅପରେସନ ହେବ ବୋଲି ଡାକ୍ତର କହିଛନ୍ତି । ଦୁର୍ଘଟଣାରେ ତାଙ୍କର ଏକ ସ୍ମାର୍ଟ ଫୋନ୍ ଭାଙ୍ଗି ଯିବା ସହ ତାଙ୍କ ବ୍ୟାଗରୁ ଏକ ଲାପ୍ଟପ୍କୁ କେହି ନେଇଯାଇଛନ୍ତିି । ତାଙ୍କ ବାପା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ମେଡିକାଲ ଖର୍ଚ୍ଚ ଦେବାକୁ ଗାଡି ମାଲିକଙ୍କୁ କହିବାରୁ ଗାଡି ମାଲିକ ତାଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ଓ ଧମକ ଦେଇଥିବା ନେଇ ଡାକ୍ତରୀ ଛାତ୍ର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ କେସ ନଂ-୭୦/୨୦ ମୂଳେ ଗାଡି ଚାଳକଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।


