ଜର୍ମାନୀରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକାର ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତ-ଚୀନ ସମ୍ପର୍କରେ ତିକ୍ତତା ବଢିଚାଲିଛି । ଉଭୟ ଦେଶ ମଧ୍ୟରେ ଉତ୍ତେଜନା ମଧ୍ୟ ବଢିଚାଲିଛି । ସୀମାରେ ଚୀନ ପକ୍ଷରୁ ସୈନ୍ୟ ଠୁଳ କରାଯାଇଥିବାବେଳେ ଭାରତ ପକ୍ଷରୁ ମଧ୍ୟ ଠିକଣା ପଦକ୍ଷେପ ନିଆଯାଇଛି । ଭାରତ ପକ୍ଷରୁ ଲଦାଖରେ ସ୍ଥଳ ସେନା ଓ ବାୟୁସେନା ପକ୍ଷରୁ ମିଳିତ ସମରାଭ୍ୟାସ କରାଯାଇଛି । ଅନ୍ୟପକ୍ଷରେ ଚୀନ ସ୍ଥିତି ଦେଖି ଆମେରିକା ଜର୍ମାନୀରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି । ଚୀନ ସେନାଙ୍କୁ ଜବାବ ଦେବାକୁ ଜର୍ମାନୀରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆମେରିକା ନିଷ୍ପତ୍ତି ନେଇଛି । ଭାରତ, ଭିଏତନାମ ଓ ଇଣ୍ଡୋନେସିଆ ପ୍ରତି ବିପଦ ଥିବାରୁ ଆମେରିକା ଏଭଳି ନିଷ୍ପତ୍ତି ନେଇଛି । ପ୍ରକାଶ ଯେ, ଗଲୱାନ ଘାଟି ବିବାଦକୁ ନେଇ ଲଗାତର ଆଲୋଚନା ପରେ ବି ବାହାରି ପାରିନି ସମାଧାନ । ଗଲୱାନ ଘାଟିକୁ ନେଇ ଯେଉଁ ସବୁ ବୁଝାମଣା ହୋଇଥିଲା, ଏସବୁକୁ ମାନିବାକୁ ନାରାଜ ଚୀନ୍ । ସୀମାକୁ ନେଇ ସମସ୍ତ ଚୁକ୍ତିକୁ ଚୀନ୍ ଅଣଦେଖା କରୁଛି । ଭାରତ ଚୀନ୍ ମଧ୍ୟରେ ବର୍ତମାନ ରହିଥିବା ରାଜିନାମାକୁ ଚୀନ୍ ପାଳନ କରୁନଥିବା ନେଇ ସୂଚନା ଦେଇଛି ଭାରତୀୟ ବିଦେଶ ମନ୍ତ୍ରାଳୟ । ଗତ ଜୁନ୍ ୧୫ ତାରିଖ ରାତିରେ ଗଲୱାନ ଘାଟି ବିବାଦ ପାଇଁ ଚୀନକୁ ଦାୟୀ କରିଛି ଭାରତ । ଚୀନ୍ ସେନା ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲ ଅତିକ୍ରମ କରି ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାକୁ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ ଭାରତର ବୈଦେଶିକ ମନ୍ତ୍ରାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଗତ ମେ ମାସରୁ ଗଲୱାନ ଘାଟି ନିକଟରେ ସୈନ୍ୟ ଠୁଳ କରିବା ଆରମ୍ଭ କରିଥିଲା ଚୀନ୍ । ସାଟେଲାଇଟ୍ ଚିତ୍ରରୁ ମଧ୍ୟ ଏହା ସ୍ପଷ୍ଟ ହୋଇଛି । ଏଥିରେ ଦେଖିବାକୁ ମିଳିଥିଲା ଚୀନ୍ ଗଲୱାନ ଘାଟିରେ ନିର୍ମାଣ କାମ ଜାରି ରଖିଛି ।
ଅନ୍ୟପଟେ ଚୀନର ନୂଆ ଦାବିକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ସୀମାରେ ଏକତରଫା ଭାବେ କୌଣସି ପରିବର୍ତନ ହେବାକୁ ଦେବନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ସେପଟେ ବୁଧବାର ଚୀନ୍ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଗତ ଜୁନ୍ ୧୫ ତାରିଖ ରାତିରେ ଗଲୱାନ ଘାଟିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଚୀନର ଯବାନ ମୃତାହତ ହୋଇଛନ୍ତି । ତେବେ ଏହା ଅଧିକ ସଂଖ୍ୟାରେ ନୁହଁ ବୋଲି ଚୀନ୍ ପକ୍ଷରୁ ଦର୍ଶାଯାଇଛି ।