ପଶ୍ଚିମବଙ୍ଗ ସରକାର ବିକ୍ରିକରିବେ ଆରୋଗ୍ୟ ସନ୍ଦେଶ
କୋଲକାତା: ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ପଶ୍ଚିମବଙ୍ଗ ସରକାର ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ସରକାର ସୁନ୍ଦରବନର ମହୁ ମିଶ୍ରିତ ଏକ ପ୍ରକାର ‘ସନ୍ଦେଶ’ ବିକ୍ରୟ କରିବେ ବୋଲି ରବିବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି। ଗୋଦୁଗ୍ଧରୁ ପ୍ରସ୍ତୁତ ଛେନକୁ ସୁନ୍ଦରବନରୁ ସଂଗୃହୀତ ଶୁଦ୍ଧ ମହୁ ଓ ତୁଳସୀ ପତ୍ରର ଅର୍କ ମିଶ୍ରଣ କରାଯାଇ ଏହି ‘ଆରୋଗ୍ୟ ସନ୍ଦେଶ’ ତିଆରି କରାଯିବ ବୋଲି ପ୍ରାଣି ସମ୍ବଳ ବିକାଶ ବିଭାଗର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। କୋଲକାତା ସହର ଏବଂ ପଡ଼ୋଶୀ ଜିଲ୍ଲାମାନଙ୍କରେ ବିଭାଗର ବକ୍ରୟ କେନ୍ଦ୍ରରେ ବିକ୍ରି ହେବାକୁ ଥିବା ଏହି ମିଷ୍ଟାନ୍ନରେ କୌଣସି କୃତ୍ରିମ ସ୍ବାଦ ମିଶାଯିବ ନାହିଁ। ଏହି ସନ୍ଦେଶ ସାମଗ୍ରିକ ଭାବେ ରୋଗ ପ୍ରତିରୋଧକ ପ୍ରକ୍ରିୟା ସୁଦୃଢ଼ କରିବ, କିନ୍ତୁ ଏହା କୋଭିଡ୍-୧୯ର ଗଦ ବା ଔଷଧୀ ନୁହେଁ ବୋଲି ସେ କହିଛନ୍ତି। ସୁନ୍ଦରବନ ବ୍ୟାପାର ମନ୍ତ୍ରୀ ମନ୍ତୁରାମ ପଖିରା କହିଛନ୍ତି ଯେ ଆରୋଗ୍ୟ ସନ୍ଦେଶ ତିଆରି ନିମନ୍ତେ ଆବଶ୍ୟକ ମହୁ ପୀରଖାଲି, ଝରଖାଲି ଏବଂ ସୁନ୍ଦରବନର ଅନ୍ୟାନ୍ୟ ଅଞ୍ଚଳର ମହୁଫେଣାରୁ ସଂଗ୍ରହ କରାଯାଇ ବୈଜ୍ଞାନିକ ପଦ୍ଧତିରେ ଗଚ୍ଛିତ ରଖାଯିବ। ଆସନ୍ତା ଦୁଇ ମାସ ମଧ୍ୟରେ ଏହି ସନ୍ଦେଶ ବିଭାଗୀୟ ବିକ୍ରୟ କେନ୍ଦ୍ରରେ ମିଳିବ ବୋଲି ଆଶା କରାଯାଉଛି। ଏହାର ମୂଲ୍ୟ ସାଧାରଣ ଲୋକଙ୍କ କ୍ରୟ ଶକ୍ତି ଭିତରେ ସୀମିତ ରହିବ ବୋଲି ପ୍ରାଣୀ ସମ୍ବଳ ବିକାଶ ବିଭାଗର ଅଧିକାରୀ ଜଣଙ୍କ କହିଛନ୍ତି। ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗତ ମାସରେ କୋଲ୍କାତାର ଏକ ବିଖ୍ୟାତ ମିଷ୍ଟାନ୍ନ ଚେନ୍ ନାନାବିଧ ଔଷଧୀୟ ତୁଟୁକା ମିଶ୍ରଣରେ ‘ଇମ୍ୟୁନିଟି ସନ୍ଦେଶ’ ନାମରେ ଏକ ମିଷ୍ଟାନ୍ନ ପ୍ରସ୍ତୁତ କରିଥିଲା। ତାହା କରୋନାଭାଇରସ୍ ବିରୋଧରେ ଲଢ଼ିବା ପାଇଁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ବୋଲି ସେମାନେ ଦାବି କରୁଥିଲେ।


