ଆଗକୁ ବର୍ଷା, ଏବେଠୁ ପୁଣି ଘାରିଲାଣି ବନ୍ୟା ଭୟ: ଦଳରେ ପରିପୂର୍ଣ୍ଣ ଟିପିସର ନାଳ

ଆସିକା (ୱାଇଏନ୍‍ଏସ୍‍) : ଆଉ କିଛିଦିନ ପରେ ଓଡିଶାକୁ ଛୁଇଁବ ମୌସୁମୀ । ଏହାର ପ୍ରଭାବରେ ବ୍ୟାପକ ବର୍ଷା ହେବାର ଆଶଙ୍କା କରାଯାଉଛି । ବର୍ଷା ଆସୁଥିବା ନେଇ ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ଜଳ ନିଷ୍କାସନ ପଥ ଗୁଡିକୁ ସୁଗମ କରିବା ଦିଗରେ ଡ୍ରେନେଜ୍ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିବା ଯୋଗୁଁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳବାସୀଙ୍କୁ ଦୀର୍ଘବର୍ଷ ହେଲା ବର୍ଷାଦିନରେ ଭୟ ଘାରୁଛି । ଜଳ ନିଷ୍କାସନ ପଥଗୁଡିକ ବିଭିନ୍ନ ସ୍ଥାନରେ ଲଟାବୁଦାରେ ପରିପୂର୍ଣ୍ଣ ହୋଇ ରହିଥିବା ଯୋଗୁଁ ଅସରାଏ ବର୍ଷାରେ ବର୍ଷାଜଳ ନିଷ୍କାସନ ନହୋଇ ବିଭିନ୍ନ ସମୟରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଏହି ସମସ୍ୟା ବର୍ଷେ କି ଦୁଇବର୍ଷ ନୁହେଁ ବିଗତ କିଛିବର୍ଷ ହେଲା ଏହା ପ୍ରମୁଖ ସମସ୍ୟା ହୋଇଛି । ମୌସୁମୀ ଓଡିଶା ମୁହାଁ ହେବାକୁ ଆଉମାତ୍ର କିଛିଦିନ ବାକି ରହିଛି । ତେବେ ଡ୍ରେନେଜ୍ ବିଭାଗ ଅଧିନରେ ଥିବା ଆସିକା ପୌର ପରିଷଦ ଅଧିନସ୍ଥ ବାଣୀବିହାର, ମେଡିକାଲ୍ ଛକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାଶ୍ୱର୍ରେ ଥିବା ଟିପିସର ନାଳ ସଫେଇ କରାଯାଉନଥିବା ଯୋଗୁଁ ଉପରମୁଣ୍ଡରେ ବର୍ଷା ହେଲେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ନହୋଇ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡାଇ ହେଉନାହିଁ । ଆସିକା ସହରବାସୀଙ୍କ ପାଇଁ ଦୀର୍ଘବର୍ଷ ହେଲା ଟିପିସର ନାଳ ଦୁଃଖ ସାଜିଛି । ଟିପିସର ନାଳକୁ ନିୟମିତ ସଫା କରାଯାଉନଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉଠିବା ସାଙ୍ଗକୁ ଲଟାବୁଦାରେ ପରିପୂର୍ଣ୍ଣ ହୋଇ ପଙ୍କରେ ପରିପୂର୍ଣ୍ଣ ହୋଇରହିଥିବା ଦେଖିବାକୁ ମିଳୁଛି । ଟିପିସର ନାଳକୁ ସଫାକରିବା ସହ ବର୍ଷାକୁ ମୁକାବିଲା କରିବା ପାଇଁ ଜଳ ନିଷ୍କାସନ ପଥଗୁଡିକୁ ସୁଗମ କରିବା ଦିଗରେ ଡ୍ରେନେଜ୍ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ । ଟିପିସର ନାଳରେ ବଡବଡ ଗଛ ଉଠି ଜଳ ନିଷ୍କାସନ ପଥ ଅବରୋଧ ହୋଇ ରହିଛି । ଆସନ୍ତା ମୌସୁମୀ ବର୍ଷାକୁ ନେଇ ଏବେଠାରୁ ଆସିକାବାସୀଙ୍କ ଚିନ୍ତା ବଢିଗଲାଣି । ଅତୀତରେ ୧୯୬୯ ମସିହା, ୧୯୯୦ ମସିହା, ୧୯୯୯ ମସିହା, ୨୦୧୩ମସିହା, ୨୦୧୮ ମସିହାରେ ହୋଇଥିବା ଏକାଧିକ ବନ୍ୟା ଓ ବାତ୍ୟାରେ ଟିପିସର ନାଳରେ ବର୍ଷା ଓ ବନ୍ୟାଜଳ ନିଷ୍କାସନ ହୋଇନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପ୍ରଭୃତ କ୍ଷତିମଧ୍ୟ ହୋଇଥିଲା । ଡ୍ରେନେଜ୍ ବିଭାଗ ଅଧିନରେ ଥିବା ଟିପିସର ନାଳକୁ ବର୍ତ୍ତମାନ ସୁଦ୍ଧା ସଫା କରିବା ଦିଗରେ ବର୍ତ୍ତମାନ ସୁଦ୍ଧା ପଦକ୍ଷେପ ନିଆଯାଇନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ଅତୀତରେ ଡ୍ରେନେଜ୍ ବିଭାଗ ପକ୍ଷରୁ ଟିପିସର ନାଳରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଦଳ ସଫା କରାଯାଇଥିଲେ ମଧ୍ୟ ରକ୍ଷଣା ବେକ୍ଷଣ ଅଭାବରୁ ବର୍ତ୍ତମାନ ପୁଣି ଏହି ଜଳ ନିଷ୍କାସନ ପଥ ଦଳରେ ପରିପୂର୍ଣ୍ଣ ହୋଇ ରହିଥିବା ଦେଖିବାକୁ ମିଳୁଛି। ଡ୍ରେନେଜ୍ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ମୌସୁମୀ ଆସିବା ପୂର୍ବରୁ ଟିପିସର ନାଳକୁ ସଫା କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ