ହରିଶୟନ ଏକାଦଶୀ ଓ ଜିଉମାନଙ୍କର ସୁନାବେଶ

ବିପିନ ବିହାରୀ ମହାନ୍ତି

ରଥଯାତ୍ରାପରେ ଆଷାଢ଼ଶୁକ୍ଳ ଏକାଦଶୀକୁ ହରିଶୟନ ଏକାଦଶୀ କୁହନ୍ତି । ଏହିଦିନ ହରିଶୟନୋତ୍ସବ ପାଳିତ ହୁଏ । ସେଦିନ ଚତୁର୍ଥ ପ୍ରହରର ପୂଜାପରେ ତ୍ରିମୂର୍ତ୍ତିଙ୍କ ପାଖରୁ ବିଜୟପ୍ରତିମାମାନଙ୍କୁ ନାନାଦି ଉପହାର ଦିଆଯାଏ । ପ୍ରାସାଦର ଦକ୍ଷିଣଭାଗସ୍ଥ ସୁସଜ୍ଜିତ ମଣ୍ଡପକୁ ନିଆଯାଇ ସେଠାରେ ଦୋଳରେ ଥିବା ପେଟିକାରେ ତିନି ଠାକୁରଙ୍କୁ ବନ୍ଦକରି ନିକଟସ୍ଥ ଗୃହରେ ଚାରିମାସ ଅର୍ଥାତ୍ ଆଷାଢ଼ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିିକ ଶୁକ୍ଳ ଦଶମୀ ଯାଏଁ ସଂରକ୍ଷିତ ରଖାଯାଏ । ଏହାକୁ ନେଇ ଯେଉଁ ଉତ୍ସବ ହୁଏ, ତାକୁ ହରିଶୟନୋତ୍ସବ କୁହନ୍ତି । ଏହା ଶ୍ରୀ କ୍ଷେତ୍ରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ।
ବିଷ୍ଣୁଙ୍କର ଏହି ଚାରିମାସ ଆବଦ୍ଧ ବା ଶୟନ କାଳକୁ ଚତୁର୍ମାସ୍ୟା ସମୟ ବୋଲି କୁହାଯାଏ । ଏହାକୁ ଏକ ଅଶୁଭ କାଳ ବୋଲି ବିବେଚନା କରାଯାଉଥିବାରୁ , ଏଥିରେ କୌଣସି ଶୁଭକାମ ହୁଏ ନାହିଁ । ଅଥଚ ଏହି ସମୟରେ ବିଷ୍ଣୁଙ୍କୁ ଆରାଧନା କଲେ ବାଞ୍ଛିôତ ଫଳ ମିଳେ ବୋଲି ବିଶ୍ୱାସ କରାଯାଏ । ଚାରିମାସ ଶୟନପରେ କାର୍ତ୍ତିକ ଶୁ୍‌କ୍ଳ ଦଶମୀ ଦିନ ବିଷ୍ଣୁ ପୁନର୍ବାର ଜାଗ୍ରତ ଅବସ୍ଥାକୁ ଆସନ୍ତି ।
ମଳମାସକୁ ବାଦଦେଲେ ବର୍ଷରେ ୨୪ଟି ଏକାଦଶୀ ପାଳନ କରାଯାଏ । ତା ମଧ୍ୟରୁ ବୈଶାଖ, ଆଷାଢ଼, କାର୍ତ୍ତିକ ଓ ମାର୍ଗଶୀର ଶୁକ୍ଳ ଏକାଦଶୀମାନଙ୍କୁ ବଡ଼ ଏକାଦଶୀ କହନ୍ତି । ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ବା ବଡ଼ ଏକାଦଶୀ ।
ଏକାଦଶୀ ପୂର୍ବଦିନ ହବିଷାନ୍ନ ବ୍ରତୀମାନେ ଖାଇଥାନ୍ତି ଏବଂ ଏକାଦଶୀଦିନ ଉପବାସ ପାଳନ କରନ୍ତି । ତେବେ ଚତୁର୍ମାସ୍ୟା ବ୍ରତ ପାଳନ କରୁଥିବା ବ୍ୟକ୍ତିମାନେ ଏହି କାଳରେ ଶାକାହାର କିମ୍ବା ଫଳ ଭୋଜନ ପୂର୍ବକ ପାଳନ କରିଥାନ୍ତି । ଏକଦଶୀ ତଥା ଚତୁର୍ମାସ୍ୟା କାଳରେ ବ୍ରତୀମାନେ ନିରୋଳା ଓ ନିର୍ଜନ ସ୍ଥାନରେ ହରିନାମ ଜପରେ ତପସ୍ୟା କରିପାରନ୍ତି । ଗୃହସ୍ଥମାନେ ନିଜନିଜ ଗୃହରେ ପବିତ୍ରତା ସହ ପାଳନ କରିଥାନ୍ତି ।
ହରିଶୟନ ଏକାଦଶୀକୁ ନେଇ ଏକ କାହାଣୀ ଅଛି । ଏକଦା ସୂର୍ଯ୍ୟବଂଶୀ ରାଜା ମାନଧାତାଙ୍କର ରାଜ୍ୟ ଅଯୋଧ୍ୟାରେ ଅକାଳ ମଡ଼କ ପଡ଼ିଲା । ପ୍ରଜାମାନେ ନାନା ଦୁଃଖରେ ଜୀବନ କଟାଇଲେ ଏବଂ ଭୋକ ଉପାସରେ ମଲେ । ରାଜା ଏହାର ପ୍ରତିକାର ଓ ନିରାକରଣ ପାଇଁ ଅଙ୍ଗିରା ଋଷିଙ୍କୁ ଭେଟିଲେ । ସେ କହିଲେ ଯେ ତାଙ୍କ ରାଜ୍ୟରେ ଜଣେ ଶୂଦ୍ର ତପସ୍ୟା କରୁଛି । ସେ ତାକୁ ବାରଣ କରନ୍ତୁ । ତା’ ହେଲେ ସେ ଏ ଦଶାରୁ ମୁକ୍ତି ପାଇବେ । ଏଥିକୁ ମାନଧାତା କହିଲେ ସେ ତାଙ୍କୁ ବାରଣ କରିପାରିବେ ନାହିଁ । ତା’ର ବି ଈଶ୍ୱରଙ୍କୁ ଭଜିବାର ଅଧିକାର ଅଛି ବରଂ ସେ ତାଙ୍କୁ ଅନ୍ୟ ଉପାୟ ବତାନ୍ତୁ । ରାଜାଙ୍କ ଉତ୍ତରରେ ଅଙ୍ଗିରା ସନ୍ତୁଷ୍ଟ ହୋଇ ହରିଶୟନ ଏକାଦଶୀ ବ୍ରତ ପାଳନ କରିବା ପାଇଁ ପ୍ରବର୍ତ୍ତାଇଲେ ଏବଂ କହିଲେ ଯେ ଏହାଦ୍ୱାରା ବାଞ୍ଛିôତ ଫଳ ପ୍ରାପ୍ତ ହେବ ଏବଂ ସମସ୍ତ ଉପଦ୍ରବମାନେ ଶାନ୍ତି ହେବେ । ଅକାଳ ମୃତ୍ୟୁ ଦୂରେଇ ଯିବ, ରାଜ୍ୟରେ ଯଥା ସମୟରେ ବର୍ଷା ହେବ ଓ ଅରାଜକତା ଦୂର ହେବ ଏବଂ କେବଳ ସେତିକି ନୁହେଁ ଏହିଦିନ ତୁଳସୀ ରୋପଣ ବା ତା’ ବୀଜ ବପନ କଲେ, ବହୁତ ପୂଣ୍ୟ ହୁଏ । ତୁଳସୀ ଗଛ ସ୍ପର୍ଶ ପବନକୁ ବି ଯମଦୂତଙ୍କ ଭୟ । ଯାହା କଣ୍ଠରେ ତୁଳସୀମାଳ ଥାଏ, ତା ଜୀବନ ଧନ୍ୟ ।
ଧର୍ମ କେବେ ବିଜ୍ଞାନ ରହିତ ନୁହେଁ । ଉପବାସ ଶରୀର ପାଇଁ ବିଜ୍ଞାନ ସମ୍ମତ । ତୁଳସୀ ଗଛର ହାୱାରେ ଜୀବାଣୁମାନେ ନାଶ ଯାଆନ୍ତିି । ଏହା ଏକ ପ୍ରାକୃତିକ ବିଶୋଧକ । ତୁଳସୀ ଗଛ ମୂଳର ଜଳ ଏକ ହଜମକାରୀ ଔଷଧ, ଡାଳ ଚର୍ମରୋଗର ନିରୋଧକ ଏବଂ ପତ୍ର କାଶ, ଶର୍ଦ୍ଦି ଏବଂ ଅନ୍ୟାନ୍ୟ ବାୟୁୂବାହିତ ରୋଗର ପ୍ରତିରୋଧକ । ଏହିକଥାକୁ ସର୍ବ ସାଧାରଣଙ୍କୁ ଧର୍ମ ବାକ୍ୟ ମଧ୍ୟରେ ପ୍ରୟୋଗ କରାଯାଇଛି ଯେ ସେମାନେ ଏହା କରନ୍ତୁ । କାରଣ ଆମ୍ଭେମାନେ ଧର୍ମଭୀରୁ । ଗୋଲକ ଦାସଙ୍କ ଭାଷାରେ :
ମୂଳେ ତୋର ଗଙ୍ଗା , ଡାଳେ ତୋର ବିଷ୍ଣୁ,
ପତ୍ରେ ଦେବତାଙ୍କ ବାସ
ସେ ପତ୍ର ପଡ଼ିଲେ ମଣୋଡି ହୁଅଇ
କହଇ ଗୋଲକ ଦାସ ।
ମଣୋହି କହିଲେ ଭୋଜନଯୋଗ୍ୟ । ତୁଳସୀରେ କର୍ପୁର ଅଂଶ ଥିବାରୁ ଏହାର ପତ୍ରକୁ ଯେଉଁ ଖାଦ୍ୟ ଉପରେ ପ୍ରୟୋଗ କରାଯାଏ, ସେଥିରେ ଜୀବାଣୁ ପ୍ରବେଶ କରନ୍ତି ନାହିଁ । ଏଇଥିପାଇଁ ଅବଢ଼ା ଉପରେ ତୁଳସୀ ପତ୍ର ପକାଯାଏା ।ପରିବେଶ ଜୀବାଣୁ ପ୍ରଦୁଷଣ ଏବଂ ସଂକ୍ରମଣ ନହେବାରେ ଘରବାଡ଼ିରେ ତୁଳସୀ ଗଛ ଲଗାଯାଇଥାଏ ।
ଏକାଦଶୀ ବ୍ରତରେ ପୂଣ୍ୟଫଳ ଥାଉ କି ନଥାଉ, ଅନ୍ତତଃ ଏହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିହାତି ଜରୁରୀ ହେତୁ ଅନ୍ତତଃ ସମସ୍ତେ ଏ ବ୍ରତ ପାଳନ କରିବା ବିଧେୟ ।
ଶ୍ରୀ କ୍ଷେତ୍ରରେ ହରିଶୟନ ଏକାଦଶୀର ଏକ ଭିନ୍ନ ବିଶେଷତ୍ୱ ଅଛି । ଏହି ଦିନ ଚତୁର୍ଦ୍ଧାମୂର୍ତ୍ତିମାନେ ଶ୍ରୀଗୁଣ୍ଠିଚା ଯାତ୍ରାସାରି ସିଂହଦ୍ୱାରରେ ରଥ ଉପରେ ଅବସ୍ଥାନ କରନ୍ତି । ସଂଧ୍ୟା ସମୟରେ ଜିଉମାନଙ୍କୁ ସୁନାବେଶରେ ଅଳଙ୍କୃତ କରାଯାଏ । ଏହି ସୁନାବେଶ ଜିଉମାନଙ୍କର ୨୪ଗୋଟି ବେଶ ମଧ୍ୟରୁ ଅନ୍ୟତମ ।
ଏହି ସୁନାବେଶ ୧୨୩୨ ଖ୍ରୀଷ୍ଟାଦ୍ଦରୁ ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରଚଳିତ । ତେବେ ଏହି ସୁନାବେଶ ରତ୍ନବେଦୀ ଉପରେ ଚାରିଥର ଯଥା ବିଜୟା ଦଶମୀ, ପୌଷ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦୋଳ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଲାବେଳେ ଆଷାଢ଼ ଶୁକ୍ଳ ଏକାଦଶୀରେ ସିଂହଦ୍ୱାର ସାମନା ରଥ ଉପର ସର୍ବସାଧାରଣଙ୍କ ଖୋଲା ଦର୍ଶନ ପାଇଁ ବର୍ଷକୁ ଥରଟିଏ ଅନୁଷ୍ଠିତ ହୁଏ । ଏ ବେଶକୁ ଜଗନ୍ନାଥଙ୍କର ରାଜା ରାଜେଶ୍ୱରୀ ବେଶ କୁହାଯାଏ । କାରଣ ଅନଙ୍ଗଭୀମଦେବ ତାଙ୍କୁ ଏହି ବେଶରେ ମଥାରେ ସୁନାମୁକୁଟ, ସୁନାର ଗୋଡ଼, ସୁନାର ହାତ ଓ ଅନ୍ୟାନ୍ୟ ସୁନାର ଭୂଷଣ ପିନ୍ଧାଇ ଉତ୍କଳ ସମ୍ରାଟ ତଥା ରାଷ୍ଟ୍ରଦେବତା ବୋଲି ଘୋଷଣା କରିଥିଲେ । ସେ ହିଁ ଓଡ଼ିଶା ଭୂଖଣ୍ଡର ପ୍ରକୃତ ଶାସକ । ଏଣୁ ଯର୍ଥାର୍ଥରେ ଏହାକୁ ଉପଲବ୍ଧି କରି ଗୋପବନ୍ଧୁ ଲେଖିଛନ୍ତି :
ଉତ୍କଳେ ନେତାର ନାହିଁ ପ୍ରୟୋଜନ
ଉତ୍କଳର ନେତା ସ୍ୱୟଂ ନାରାୟଣ ।ା
ଆଷାଢ଼ ଶୁକ୍ଳ ଏକାଦଶୀ ତଥା ସୁନାବେଶମାନଙ୍କରେ ତ୍ରିମୂର୍ତ୍ତିମାନଙ୍କର ସ୍ୱର୍ଣ୍ଣ ଭୂଷଣମାନଙ୍କ ସଂପର୍କରେ ଏଠାରେ ନିମ୍ନମତେ ସୂଚୀତ କରୁଅଛୁ ।
ଶ୍ରୀ ବଳଭଦ୍ର : ଶ୍ରୀ ପୟର, ଶ୍ରୀ ଭୁଜ, କିରୀଟ, ଓଡ଼ିଆଣୀ କୁଣ୍ଡଳ , ଚନ୍ଦ୍ର-ସୂର୍ଯ୍ୟ ଆଡ଼ିକାନି, ଘାଗଡ଼ାମାଳି, ତିଳକ ,ଚନ୍ଦ୍ରିକା, ଅଳକା , ଝୋବାକଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘନଖିମାଳି, ସେବତୀ ମାଳ ଓ ତିଖଣ୍ଡିକାକମର ପଟି ପ୍ରଭୃତି ଅଳଙ୍କାର ଲାଗିହୁଅନ୍ତି ।
ଶ୍ରୀ ସୁଭଦ୍ରା : କିରୀଟ ଓଡ଼ିଆଣୀକାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ାମାଳି, ତଗଡ଼ି ଓ ସେବତୀମାଳି ଇତ୍ୟାଦି ଲାଗିହୁଅନ୍ତିା
ଶ୍ରୀଜଗନ୍ନାଥ : ଶ୍ରୀ ପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳିତିଳକ,ଚନ୍ଦ୍ରିକା, ଅଳକା, ଝୋବାବଣ୍ଠି, ସ୍ୱର୍ଣ୍ଣଚନ୍ଦ୍ର ଓ ରୌପଶଙ୍ଖ, ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି , ସେବତୀ ମାଳି ଓ ତ୍ରିଖଣ୍ଡିକା କମର ପଟି ପ୍ରଭୃତି ଅଳଙ୍କାର ଲାଗିହୁଅନ୍ତିି ।
ତିନି ଠାକୁରଙ୍କର ଶ୍ରୀପୟର ଓ ଶ୍ରୀ ଭୁଜ ସୁନାରେ ତିଆରି ହୋଇ ଲଗାଯାଏ । ବାକିସବୁ ସ୍ୱର୍ଣ୍ଣାଳଙ୍କାର ଯଥା ସ୍ଥାନରେ ଅଳଙ୍କୃତ କରାଯାଏ । ଏ ସମସ୍ତ ଅଳଙ୍କାରରେ ଜିଉମାନେ ଅପରୂପ ସୌନ୍ଦର୍ଯ୍ୟର ଚମତ୍‌କୃତ କରନ୍ତି । ଏ ଶୋଭା ଅବର୍ଣ୍ଣନୀୟ ।
ଶୁଣାଯାଏ ବଡ ଚଢ଼ାଉ ସେବାୟତଙ୍କ ଅନୁରୋଧକ୍ରମେ ରାଜ କପିଳେନ୍ଦ୍ରଦେବ ୧୩୮ ପ୍ରକାର ରତ୍ନଖଚିତ ସୁନାଅଳଙ୍କାର ନିର୍ମାଣକରି ଶ୍ରୀ ବିଗ୍ରହମାନଙ୍କୁ ରଥ ଉପରେ ବଡ଼ ଏକାଦଶୀ ଦିନ ସଜ୍ଜାଇ ଏହି ଚମତ୍‌କାର ମନ ମୁଗ୍ଧକର ବେଶ ପ୍ରଥମେ କରାଇଥିଲେ ଯଦିଓ ସୁନାବେଶ ଅନଙ୍ଗଭୀମ ଦେବଙ୍କ ସମୟରୁ ପ୍ରଚଳନ ଅଛି । ଏହି ସୁନାବେଶର ଆକର୍ଷଣ ଅତ୍ୟନ୍ତ ସୁଦୂର ପ୍ରସାରୀ ହେତୁ , ଏହିଦିନ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶ ଶ୍ରୀ ପୁରୁଷୋତ୍ତମରେ ହୋଇଥାଏ । ସୁନାବେଶର ଅନ୍ୟନାମ ବଡ଼ଚଢ଼ାଉ ବେଶ ବୋଲି ବିଦିତ ଅଛି :
ବିବିଧ ଚଢ଼ାଉଲାଗି ହୋଇବାମେ ବିରବର ଛୁରୀ
ନନ୍ଦିଘୋଷ ରହୁବରେ ଆରୋହଣ ଶ୍ରୀ ଭୁଜେ ଶଙ୍ଖଚକ୍ରଧରି ।ା
ଅଦ୍ଭୁତ ପ୍ରଭୁଙ୍କ ଲୀଳା । ସେ ରୂପ ପୁଣି ଅରୂପ । ସେ ଏକ ପୁଣି ଅନେକ, ସେ ପ୍ରତିମା ପୁଣି ପ୍ରତୀକ, ସେ କ୍ଷର ପୁଣି ଅକ୍ଷର , ସେ ବ୍ୟକ୍ତ ପୁଣି ଅବ୍ୟକ୍ତ । ସେ ପୁଣି ସବୁରି ଉର୍ଦ୍ଧ୍ୱରେ ସବୁରି ନିୟମାଙ୍କ । ସେ ସର୍ବରୂପ; ସେ ସଗୁଣ ଓ ନିର୍ଗୁଣର ବିଚିତ୍ର ସମାହାର:
ଦେବ ଦେବ ଜଗନ୍ନାଥ ସର୍ବରୂପ ପରାୟଣମ୍ ।
ଏକ ନିର୍ଗୁଣ ଭଗବାନ ସଗୁଣେ ବହୁଧାସ୍ତଥା ।ା
ଆସନ୍ତୁ, ତାଙ୍କରି ସେ ଅପରୂପ ବେଶ ସଂଦର୍ଶନରେ ଆମର ଦେହ-ମନ-ନୟନକୁ କୁତାର୍ଥ ଓ ପବିତ୍ର କରିବା ।
‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ , ଭବତୁମେ’

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା,
ମୋ., ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ