ବଳରାମ ଯୋଜନାରେ ଭୁମିହୀନ ଚାଷୀମାନଙ୍କୁ କୃଷି ଋଣ ଦିଆଯିବ
ଜଏଣ୍ଟ୍ ଲିଆବିଲିଟି’ ଗ୍ରୁପ୍ ମାଧ୍ୟମରେ ୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ପ୍ରତି ବ୍ୟାଙ୍କ୍ ବ୍ରାଞ୍ଚକୁ ଚଳିତ ବର୍ଷ ଅତି କମ୍ ରେ ୧୦ଟି ଜେ.ଏଲ୍.ଜି ଙ୍କୁ ଋଣ ଦେବା ପାଇଁ କୁହାଯାଇଛି । ଏହା ଫଳରେ ପ୍ରାୟ ୭୦,୦୦୦ ଗ୍ରୁପ୍ ଚଳିତ ବର୍ଷ କୃଷି ଋଣ ପାଇ ପାରିବେ । ଗୋଟିଏ ଗ୍ରୁପ୍ ରେ ୫ ଜଣ ଚାଷୀ ରହିବେ । ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନ ଚାଷୀଙ୍କୁ କୃଷି ଋଣ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ଗ୍ରୁପ୍ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍ ଗଠନ କରି ସେମାନଙ୍କୁ ବ୍ୟାଙ୍କ୍ ମାନଙ୍କ ସହ ସଂଯୋଜିତ କରିବେ । ଋଣ ଯୋଗାଣ ଏବଂ ଋଣ ପୈଠ ଆଦିରେ ସହାୟତା କରିବେ । ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଳ୍ଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏହି କ୍ଷେତ୍ରସ୍ତରୀୟ କର୍ମଚାରୀ ମାନଙ୍କୁ ସଠିକ୍ ଭାବେ ତାଲିମ୍ ଓ ଅନୁପ୍ରେରଣା ଦେବା ପାଇଁ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଭୂମିହୀନ ଚାଷୀମାନଙ୍କୁ ଏହି ଋଣ ସାଧାରଣ କୃଷି ଋଣ ଆକାରରେ ଦିଆଯିବ । ଏହାର ସୁଧ ହାର ଏବଂ ସୁଧ ରିହାତି ଆଦି ରାଜ୍ୟ ସରକାରଙ୍କ କୃଷି ଋଣ ନିୟମ ଅନୁଯାୟୀ ହେବ । ନାବାର୍ଡାର ଓଡ଼ିଶା ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଚନ୍ଦ୍ର ଶେଖର କହିଛନ୍ତି ଯେ “ରାଜ୍ୟ ସରକାରଙ୍କ ଏହି ଯୋଜନା ଏକ ଅଭିନବ ପ୍ରୟାସ । ଅନ୍ୟ କୌଣସି ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇନାହିଁ । ଏହି ଯୋଜନା ସଫଳ ହେଲେ ସମଗ୍ର ଦେଶ ପାଇଁ ଏକ ମଡେଲ୍ ହେବ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ୍ ଯାଦବ, ନାବାର୍ଡାର ମୁଖ୍ୟ ପରିଚାଳନା ପ୍ରବନ୍ଧକ ଚନ୍ଦ୍ର ଶେଖରଙ୍କ ସମେତ ରାଜ୍ୟ ସମବାୟ ବ୍ୟାଙ୍କ୍, ରାଜ୍ୟସ୍ତରୀୟ ବ୍ୟାଙ୍କ୍ ସମନ୍ୱୟ କମିଟି ଏବଂ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।