ଦୁର୍ନୀତି ବିରୋଧରେ ଲଢ଼ିବାକୁ ସଂକଳ୍ପ :କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଧୁତାର ଶପଥପାଠ

କଟକ, (ଓ୍ବାଇଏନଏସ): ଦୁର୍ନୀତିମୁକ୍ତ ସମାଜ ଗଠନ ସହ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି ପାଇଁ ସାଧୁତା ଓ ସତ୍ୟନିଷ୍ଠାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଦୁର୍ନୀତି ନିବାରଣ ସପ୍ତାହ-୨୦୨୬ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ପୂର୍ବାହ୍ନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଡ. ଦିବ୍ୟଲୋଚନ ମହାନ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିବାକୁ ସଂକଳ୍ପ ନେଇଥିଲେ। ଶପଥପାଠରେ ଦୁର୍ନୀତିକୁ ଦେଶର ପ୍ରଗତିର ଏକ ପ୍ରମୁଖ ପ୍ରତିବନ୍ଧକ ଭାବେ ଉଲ୍ଲେଖ କରାଯାଇଥିଲା। ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କ ରହି ସର୍ବୋଚ୍ଚ ସାଧୁତା ଓ ସତ୍ୟନିଷ୍ଠା ବଜାୟ ରଖିବା ସହ ଦୁର୍ନୀତି ବିରୋଧରେ ସାମୂହିକ ପ୍ରୟାସକୁ ସମର୍ଥନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସରକାର, ନାଗରିକ ସମାଜ ଓ ଘରୋଇ କ୍ଷେତ୍ରର ସମନ୍ୱିତ ଉଦ୍ୟମ ଆବଶ୍ୟକ ବୋଲି ଶପଥରେ ଉଲ୍ଲେଖ ରହିଛି। କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଚଳିତବର୍ଷର ବିଷୟବସ୍ତୁ “ସାଧୁତାରୁ ସମୃଦ୍ଧି” ରଖାଯାଇଛି। ଏହି ଅବସରରେ ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି ପାଇଁ ବିଭିନ୍ନ ଜିଲ୍ଲାରେ ସଚେତନତାମୂଳକ କାର୍ଯ୍ୟକ୍ରମ ହେଉଛି। ଏହି କ୍ରମରେ ଆସନ୍ତା ଅକ୍ଟୋବର ୩୧ ତାରିଖ ପୂର୍ବାହ୍ନ ୧୧ଟାରେ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଆୟୋଜନ କରାଯିବ। ଏହି ସଭା ମାଧ୍ୟମରେ ଦୁର୍ନୀତି ନିବାରଣ ଓ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ