ତ୍ୟାଗ, ସଂଯମତା ଏବଂ ଶୃଙ୍ଖଳା ଅବଲମ୍ବନ କରି କରୋନା ସହିତ ଲଢିବାକୁ ମୁଖ୍ୟମନ୍ତ୍ରୀ କଲେ ଅନୁରୋଧ

ଭୁବନେଶ୍ୱର: ନିଜ ମଧ୍ୟରେ ତ୍ୟାଗ, ସଂଯମତା ଏବଂ ଶୃଙ୍ଖଳା ଅବଲମ୍ବନ କରି କୋଭିଡ଼ ଯୁଦ୍ଧ ସହିତ ଲଢିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜିର ଉଦବୋଧନରେ ନବୀନ ସଫଳତାର ସହ ରଥଯାତ୍ରା ଶେଷ ହୋଇଥିବା ନେଇ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୁରୀ ଜନସାଧାରଣଙ୍କ ସମେତ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ଚଳିତ ବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି। ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତ ନୀତି ସୁରୁଖୁରୁରେ ଶେଷ ହୋଇଛି। ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ବିଶେଷ କରି ପୁରୀର ଜନସାଧାରଣଙ୍କୁ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ରଥଯାତ୍ରା ପୂର୍ବ ଦିନ ମୁଁ କହିଥିଲି ଯେ ସାରା ବିଶ୍ବ ଆମ ଉପରେ ନଜର ରଖିଛି। ଆମେ କୋଭିଡ ସମୟରେ କିପରି ମହାପ୍ରଭୁଙ୍କ ଯାତ୍ରା, ନିୟମ ମାନି କରୁଛୁ ତା ଉପରେ ସାରା ବିଶ୍ବ ନଜର ରଖିଥିଲା। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ। ଶୃଙ୍ଖଳାର ସହ କାମ କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛୁ। “ପୁରୀ ବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ। ସେମାନଙ୍କ ତ୍ୟାଗର ତୁଳନା ନାହିଁ। ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ। ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି। ସେହିପରି ଭାବେ କରୋନା ଯୁଦ୍ଧରେ ସାହସର ସହିତ ଲଢିବା ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି। ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ। ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ। ସାରା ଦେଶ ଅନଲକ ହେବା ଆରମ୍ଭ କରିଛି। ଆଉ ବିଶେଷ କିଛି କଟକଣା ନାହିଁ। ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି। ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି। ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି। ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ”।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ