୪୭ ଜଣଙ୍କୁ ପଦ୍ମ ପୁରସ୍କାର
ନୂଆଦିଲ୍ଲୀ(ଏଜେନ୍ସି): ଚଳିତବର୍ଷ ପାଇଁ ଦେଶର ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ବିଭିନ୍ନ କ୍ଷେତ୍ରରୁ ୧୧୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୭ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୪୭ଜଣଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।
ପଦ୍ମଭୂଷଣ: ମାଲାୟାଲାମ୍ ଅଭିନେତା ମୋହନଲାଲ୍, ଦକ୍ଷିଣ ଆଫ୍ରିକୀୟ ରାଜନୀତିଜ୍ଞ ପ୍ରବୀଣ ଗୋର୍ଦ୍ଧନ, ପୂର୍ବତନ ସିସେକା ମୁଖ୍ୟ ଝୋନ୍ ଚାମ୍ବର୍ସ, ସାଂସଦ ହୁକୁମଦେବ ନାରାୟଣ ଯାଦବ, କରିଆ ମୁଣ୍ଡା ଓ ଶୁଖଦେବ ସିଂହ ଧୀଣ୍ଡସା ପ୍ରମୁଖ । ପ୍ରଖ୍ୟାତ ସାମ୍ବାଦିକ କୁଲଦୀପ ନାୟାର (ଦିବଂଗତ)ଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି ।
ପଦ୍ମଶ୍ରୀ: ଚେସ୍ ଖେଳାଳୀ ହରିକା ଦ୍ରୋଣାବଳୀ, ଟେବୁଲ ଟେନିସ୍ ପ୍ରତିଯୋଗୀ ଶରତ କମଲ୍, ସମାଜସେବୀ ଭାଗିରଥୀ ଦେବୀ ଓ ମୁକ୍ତାବେନ୍ ଡାଗିଲ, ଅଭିନେତା ପ୍ରଭୁଦେବା, ସଂଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ୍, ପୂର୍ବତନ ପ୍ରଶାସନିକ ସେବା ଅଧିକାରୀ ଏସ୍. ଜୟଶଙ୍କର, କୃଷିବୀତ୍ ରାଜକୁମାରୀ ଦେବୀ ଓ ବାବୁଲାଲ ଦହିୟା, ପ୍ରତ୍ନତତ୍ତ୍ୱବିତ୍ ଦିଲ୍ଲୀପ ଚକ୍ରବର୍ତ୍ତୀ ଓ ହେମାଟୋଲଜିଷ୍ଟ ମମେନ ଚାଣ୍ଡି ପ୍ରମୁଖ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ୧୧୨ ଜଣଙ୍କୁ ପଦ୍ମ ପରୁସ୍କାର ପାଇଁ ମନୋନୀତ କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୪୭ ଜଣଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ମାର୍ଚ୍ଚ ୧୬ରେ ଅୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ । ୧୧୨ଜଣଙ୍କ ମଧ୍ୟରୁ ଚଳିତ ବର୍ଷ ୯୪ଜଣ ପଦ୍ମଶ୍ରୀ, ୧୪ଜଣ ପଦ୍ମ ଭୂଷଣ ଏବଂ ୪ ଜଣ ପଦ୍ମ ବିଭୂଷଣ ପାଇବେ । ଏମାନଙ୍କ ମଧ୍ୟରେ ୨୧ ଜଣ ମହିଳା, ୧୧ ଜଣ ବିଦେଶୀ ଏବଂ ଜଣେ ପ୍ରବାସୀ ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି ।