ସ୍ବେଚ୍ଛାସେବୀ ସଂଗଠନ ଓ ସଂଘ ମାନେ କୋଭିଡ୍ ପରିଚାଳନାରେ ସହଯୋଗ କରିପାରିବେ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଳାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟନିର୍ବାହୀ ଅଧିକାରୀ, ସମନ୍ବୀତ ଶିଶୁ ବିକାଶ ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ଚିକିତ୍ସକ ମାନଙ୍କୁ କୋଭିଡ୍ – ୧୯ ପରିଚାଳନାଗତ ବିଭିନ୍ନ ବିଷୟ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । କରୋନା ଯୋଦ୍ଧାଭାବେ କାର୍ଯ୍ୟକରି ସଂକ୍ରମିତ ହୋଇଥିବା କେତେକ ଅଧିକାରୀ ଓ କର୍ମଚାରୀ ସୁସ୍ଥ ହୋଇ ଫେରିଛନ୍ତି ଏବଂ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିବା ହେତୁ ଜିଲ୍ଲାପାଳ ସେମାନଙ୍କ ସତ୍ ସାହାସକୁ ସାଧୁବାଦ ଦେବା ସହ ଖୁସି ପ୍ରକଟ କରିଥିଲେ। କରୋନା ମୁକ୍ତ କରିବା ନେଇ ଯେଉଁ ଅନୁସାରେ ସୁନ୍ଦର ଯୋଜନା କରାଯାଉଛି ସେହି ଅନୁଯାୟୀ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କଲେ ଜିଲ୍ଲା କରୋନା ମୁକ୍ତ ହୋଇ ପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଜିଲ୍ଲାର ପ୍ରତିଟି ଅଞ୍ଚଳ ଯାଂଚ୍ କରାଯାଇ ରେଡ୍ ଜୋନ୍, ଗ୍ରୀନ୍ ଜୋନ୍ ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି । ସମ୍ପ୍ରତି ରେଡ୍ ଜୋନ୍ ରେ ସଂକ୍ରମିତ ବ୍ୟକ୍ତିଙ୍କୁ ନଜରରେ ରଖିବା ଓ ତାଙ୍କ ଘର ସାମ୍ନାରେ ରେଡ୍ ଜୋନ୍ ଷ୍ଟିକର ଲଗାଇବା ସହ ସଂକ୍ରମିତ ବ୍ୟକ୍ତିଙ୍କୁ ଏକାନ୍ତ ରଖିବା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପରୀକ୍ଷଣ ଯନ୍ତ୍ର ସହ ଟିମ୍ ଗୁଡିକ ରେଡ୍ ଜୋନ୍ ରେ ସମସ୍ତଙ୍କ ସ୍ବାସ୍ଥ୍ୟ ଯାଂଚ୍ କରିବେ । ସହରାଞ୍ଚଳରେ ଯଦି କାହାଘରେ ଏକାନ୍ତ ରହିବାର ସୁବିଧା ନଥିବ ତାହାହେଲେ ତାଙ୍କୁ କମ୍ୟୁନିଟି କେୟାର ହେଲଥ ସେଣ୍ଟରରେ ରଖିବାକୁ ଜଣାଇଥିଲେ, ଗ୍ରାମାଞ୍ଚଳରେ କେତେକ ଅମାନିଆ ବ୍ୟକ୍ତି ଦଳଗତ ତାସ୍ ଖେଳିବା ଜିଲ୍ଲାପ୍ରଶାସନର ନଜରକୁ ଆସିଛି । ସେହି ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଏଫ୍.ଆଇ.ଆର୍. ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ଗାଁ ପୋଖରୀରେ ଗାଧୋଇବାକୁ ବାରଣ କରାଯାଇଛି । ଏହାକୁ ନଜର ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ କମ୍ୟୁନିଟି କେୟାର ହେଲଥ ସେଣ୍ଟର ପରିଦର୍ଶନ କରି ସମସ୍ତ ସୁବିଧା ଠିକ୍ ରୂପେ ଉପଲବ୍ଧ ହେଉଛି ନା ନାହିଁ ତାହା ଯାଂଚ୍ କରିବେ । ସାଧାରଣ ଥଣ୍ଡା, ଜ୍ବର ବ୍ୟକ୍ତି କମ୍ୟୁନିଟି କେୟାର ହେଲଥ ସେଣ୍ଟରରେ ଥିବା ଡାକ୍ତରଙ୍କ ପରାମର୍ଶ ଘେନି ଚିକିତ୍ସିତ ହୋଇପାରିବେ, ସେମାନେ ଦୂର ଚିକିତ୍ସାଳୟକୁ ଯିବା ଜରୁରୀ ନାହିଁ । ଜିଲ୍ଲା ସ୍ତରରୁ ଅଧିକାରୀ ମାନଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ବ ଦିଆଯିବ ସେମାନେ କମ୍ୟୁନିଟି କେୟାର ହେଲଥ ସେଣ୍ଟର କୁ ଯାଇ ପର୍ଯ୍ୟବେକ୍ଷଣ କରି ତଦାରଖ କରିବେ । ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା ସଂଘ ଗୁଡିକ ଚାହିଁଲେ ସ୍ବଇଚ୍ଛାରେ ସେମାନଙ୍କ ଅଞ୍ଚଳରେ ହୋମ୍ ଆଇସୋଲେସନ୍ ସେଣ୍ଟର କରିପାରିବେ ଏବଂ କମ୍ୟୁନିଟି କେୟାର ହେଲଥ ସେଣ୍ଟର ଗୁଡିକର ପରିଚାଳନା କାର୍ଯ୍ୟ ତୁଲାଇ ପାରିବେ ।ଏଥି ନିମନ୍ତେ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ ଜିଲ୍ଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସଂଘ ଗୁଡିକୁ ଆହ୍ବାନ କରିଛନ୍ତି । ଭିଡିଓ କନଫରେନ୍ସିଂ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଛତ୍ରପୁର ଉପଖଣ୍ଡ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳ ପାରୁଲ୍ ପଟଓ୍ବାରୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟଲୋଚନ ମହନ୍ତ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ