ଶବ ନେବା ପାଇଁ ମିଳିଲାନି ୪ଗୋଟି କାନ୍ଧ
ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ଅଞ୍ଚଳରେ କରୋନା ଭୟ। ସାଧାରଣ ରୋଗରେ ମୃତ୍ୟୁ ବରଣ କଲେ ମଧ୍ୟ କରୋନା ଭୟ। ଶବ ଉଠାଇବାକୁ ମିଳୁନି ଚାରିଗୋଟି କାନ୍ଧ। ଶବ ପଟା ରିକ୍ସାରେ ବୋଝେଇ ହୋଇ ଯାଉଛି ମାଶାଣି ଭୂମିକୁ। କରୋନା ସନ୍ଦେହରେ ଶବକୁ ଛୁଇଁବା ଦୂରକଥା ଦେଖିବାକୁ ମଧ୍ୟ ଯାଉନାହିଁନ୍ତି ରକ୍ତ ସମ୍ପର୍କର ଭାଇ ଭଉଣୀ, ଦାଦା ଖୁଡି ପ୍ରଭୃତି। ଏହିପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ବୁଗୁଡା ସହରରେ। ପରିବାରର ପୁରୁଷ ଲୋକଙ୍କ ସାଥିରେ ପଟା ରିକ୍ସାରେ ଶବ ବୁହାହୋଇ ଗଲା ଶ୍ମଶାନ ଭୂମିକୁ। ଅବଶ୍ୟ ଏହିପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି ବୁଗୁଡା ସହରରେ। ସୋମବାର ଦିନ ବୁଗୁଡା ସହରରେ ସାଇ ରାମ ହୋଟେଲର ମାଲିକ ୟୁ.ସନ୍ୟାସି ପାତ୍ର ପାଞ୍ଚ ଛଅ ଦିନ ହେଲା ଜ୍ୱର ରୋଗରେ ପୀଡିତ ଥିବା ବେଳେ ଆଜି ମୃତ୍ୟୁ ମୁଖରେ ପଡ଼ିଥିଲେ। ମୃତ୍ୟୁ ବରଣ ପରେ ପରିବାର ଲୋକେ ରକ୍ତସମ୍ପର୍କ ବଂଶ ଭାଇମାନଙ୍କୁ ସନ୍ୟାସୀଙ୍କ ମର ଶରୀରକୁ ଶ୍ମଶାନକୁ ନେବାକୁ ଡାକିଥିଲେ ମଧ୍ୟ କେହି ଆସିନଥିଲେ। ଫଳରେ ପରିବାର ଲୋକେ ପଟା ରିକ୍ସାରେ ଶବକୁ ଶ୍ମଶାନକୁ ନେଇ ସଂସ୍କାର କରିଥିଲେ। କରୋନା ଭୟ ଆଜି ନିଜ ଲୋକମାନଙ୍କୁ ମଧ୍ୟ କରିଦେଇଛି ପର।