ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲାରେ ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ନିୟୋଜିତ ହେଉଥିବା ପ୍ରାଥମିକ ଶିକ୍ଷକ ମାନଙ୍କ ବଦଳରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ନିୟୋଜିତ କରାଯିବ । ଅଙ୍ଗନଓ୍ବାଡି କର୍ମୀମାନେ ଗାଁ ଗହଳି ସହିତ ଅଧିକ ମାତ୍ରାରେ ପରିଚିତ ରହୁଥିବାରୁ ସେମାନେ ଏହି କାର୍ୟ୍ୟ କରିବେ । ଯେଉଁଠାରେ ପ୍ରାଥମିକ ଶିକ୍ଷକ ନିୟୋଜିତ ଥିବେ ସେଠାରେ ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ସହାୟତା କରିବେ । ଭୋଟର ତାଲିକା ସଂଶୋଧନ କାର୍ୟ୍ୟ ସେପ୍ଟେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଜାରି ରହିବ । ଯେଉଁମାନଙ୍କ ନାମ ନୂତନଭାବେ ସଂଯୋଗ କରାଯିବ ସେମାନେ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ, ରେସନ୍ କାର୍ଡ ପ୍ରଭୃତି ପ୍ରମାଣ ପତ୍ର ଦେଖାଇ ନାମ ଯୋଗ କରିପାରିବେ । ଅକ୍ଟୋବର ୧୫ ତାରିଖ ଦିନ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ । ଅକ୍ଟୋବର ୧୫ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ସଂଶୋଧନ କାର୍ୟ୍ୟକ୍ରମ ଜାରି ରହିବ । ଆସନ୍ତା ୨୦୨୦ ମସିହା ଜାନୁୟାରୀ ପ୍ରଥମାର୍ଦ୍ଧରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ । ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଯେଉଁ ଭୋଟଦାନ କେନ୍ଦ୍ର ଗୁଡିକ ପ୍ରତି ଜନ ସାଧାରଣଙ୍କ ଆପତ୍ତି ଥିବ ତାହାର ସ୍ଥାନ ପରିବର୍ତ୍ତନ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ ବିଜୟାନନ୍ଦ ସେଠୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।