ଜଳବନ୍ଦୀ ଗ୍ରାମର ଲୋକେ ବିଡିଓଙ୍କୁ ଭେଟିଲେ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ବିକେବିଏମ୍ ରୋଡର ଗଣ୍ଡଗରା ଠାରୁ ସଂଯୁକ୍ତ ରାସ୍ତା ମରାମତି ଅଭାବରୁ ଲଘୁଚାପ ବର୍ଷାରେ ଘାଇ ହୋଇ ମୁଗଗଢିଆ, କସଗଢିଆ ଓ ଗୋହିରାପଦୀ ଆଦି ୩ଟି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିବା ସହ ବାହ୍ୟ ଜଗତରୁ ବିଛିନ୍ନ ହେବା ଘଟଣାରେ ମଙ୍ଗଳବାର ଭଦ୍ରକ ଜିଲ୍ଲା କ୍ରାନ୍ତିକାରୀ କୃଷକ ମହାସଂଘର ଆବାହକ ଭବେନ୍ଦ୍ର ସାହୁଙ୍କ ନେତୃତ୍ୱରେ ୩ଟି ଗ୍ରାମର ଲୋକେ ବିଡିଓ ରେବେକା ବିଲୁଙ୍ଗଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ଅଭିଯୋଗ ପାଇବା ପରେ ବିଡିଓ ତତକ୍ଷଣାତ୍ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିବା ସହ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି । ପ୍ରକାଶ ଯେ, ମୁଗଗଢିଆ, କସଗଢିଆ ଓ ଗୋହିରାପଦୀ ସହିତ ବିକେବିଏମ୍ ରୋଡର ଗଣ୍ଡଗରା ଠାରୁ ସଂଯୁକ୍ତ ରାସ୍ତା ମରାମତି ହେଉନାହିଁ । ପ୍ରତିବର୍ଷ ବର୍ଷା ଦିନେ ଲୋକମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବା ସହିତ ରାସ୍ତାରେ ଘାଇ ହୋଇ ଗ୍ରାମ ଜଳାର୍ଣ୍ଣବ ହେଉଛି । ଫଳରେ ଲୋକ ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ଗୁରବାର ଠାରୁ ଲଘୁଚାପ ବର୍ଷାରେ ରାସ୍ତାରେ ଘାଇ ହୋଇ ୩ଟି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିବା ସହ ଶହ ଶହ ଏକର ଚାଷ ଜମି ନଷ୍ଟ ହେବା ଆଶଙ୍କା ପାଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ମହାସଂଘ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଆବଶ୍ୟକ ପଡିଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ