୧୧୫ ଏଣ୍ଟିଜେନ ଟେଷ୍ଟ ରେ ପଜିଟିଭ ଶୂନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ ଏବେ କରୋନା ସଂକ୍ରମଣ ସଂଖ୍ୟା କମିଛି।ଏଭଳି ଏକ ବିଷମ ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ତ୍ୱରାନ୍ୱିତ କରିଛନ୍ତି।ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ରେପିଡ଼ ରେସପନ୍ସ ଟିମ ସହାୟତାରେ ସବୁ ବର୍ଗର ଲୋକଙ୍କ ଚିକିତ୍ସା ସକାଶେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।ଏଭଳି ସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଛି।ଏଥିପାଇଁ କରୋନା ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ରୋଗ ନ ଲୁଚାଇ ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟାରେ ରୋଗମୁକ୍ତ ହେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ସମ୍ପ୍ରତି ହିଞ୍ଜିଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।ଏହି କ୍ରମରେ ରାଳବ ଗ୍ରାମରେ ରବିବାର ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ସମ୍ପୃକ୍ତ ଗ୍ରାମର ୧୧୫ ଜଣଙ୍କ ଠାରୁ ଏଣ୍ଟିଜେନ ଟେଷ୍ଟ ନମୁନା ସଂଗୃହିତ ହୋଇଥିଲା।ଉକ୍ତ ପରୀକ୍ଷଣ ବେଳେ ସମସ୍ତ ନମୁନାରୁ ନେଗେଟିଭ ବାହାରିଥିବା ସ୍ୱାସ୍ଥ୍ୟ କର୍ମଚାରୀ ସୂଚନା ପ୍ରଦାନ କରିଛନ୍ତି।ଏଣ୍ଟିଜେନ ଟେଷ୍ଟ ପ୍ରକ୍ରିୟାରେ ପଜିଟିଭ ଶୂନ ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ଏକ ପ୍ରକାର ଆଶ୍ବସ୍ଥି ଲାଭ କରିଛି।ଏନେଇ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ପିଇଓ ସୁଶାନ୍ତ କୁମାର ପାତ୍ର ଅଧିକରୁ ଅଧିକ ଏଣ୍ଟିଜେନ ଟେଷ୍ଟ କରାଇ କରୋନା ରୋଗରୁ ମୁକ୍ତ ହେବା ପାଇଁ ଗ୍ରାମବାସୀ ଙ୍କୁ ନିବେଦନ କରିଛନ୍ତି।