ସ୍ତ୍ରୀ ଓ ଦେଢ଼ଶାଶୁଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଆମ୍ବଗାଁ ର ଡମ୍ବରୁ ସାହୁ(୪୫) ଙ୍କୁ କେ. ନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ. ୩୭୦/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇଦିଆଯାଇଛି। ଗତ ସୋମବାର ରାତି ପ୍ରାୟ ୧୦ ଟାରେ ଡମ୍ବରୁ ତାଙ୍କ ସ୍ତ୍ରୀ ଅହଲ୍ୟା ସାହୁ ଏବଂ ଜକର ପଞ୍ଚାୟତ ମାଣିକପୁର ଗାଁ ରେ ରହୁଥିବା ଦେଢ଼ଶାଶୁ କୁମାରୀ ସାହୁ ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅହଲ୍ୟା ଆଜକୁ ପ୍ରାୟ ୧୪ ବର୍ଷ ହେଲା ବିବାହ କରିଥିଲେ ମଧ୍ୟ ତାଙ୍କୁ ସଦା ସର୍ବଦା ମାରପିଟ କରି ନିର୍ଯ୍ୟାତନା ଦିଅନ୍ତି। ଡମ୍ବରୁ ଗୁଜୁରାଟ ର ସୁରାଟ ରେ ଶ୍ରମିକ ଭାବେ କାମ କରନ୍ତି।ସେ ପ୍ରତି ମାସରେ ଘର ଖର୍ଚ୍ଚ ପାଇଁ ସ୍ତ୍ରୀ ଙ୍କ ବ୍ୟାଙ୍କ ଜମାଖାତା କୁ ଫୋନ – ପେ ମାଧ୍ୟମରେ ଟଙ୍କା ପଠାନ୍ତି।ଗତ କିଛି ଦିନ ପୂର୍ବେ ଡମ୍ବରୁ ଗୁଜୁରାଟ ର ସୁରାଟ ରୁ ଗାଁ କୁ ଫେରିଥିଲେ। ସ୍ତ୍ରୀ ଅହଲ୍ୟା ଙ୍କୁ ପ୍ରତି ମାସରେ ପଠାଇଥିବା ଟଙ୍କା ର ହିସାବ ମାଗିବା ସହ ମାରପିଟ କରିବାରୁ ସେ ମାଡ଼ ଓ ଗାଳି ସହିନପାରି ତାଙ୍କ ବଡ଼ ଭଉଣୀ ରହୁଥିବା ମାଣିକପୁର ଗାଁକୁ ଚାଲିଯାଇଥିଲେ। ଡମ୍ବରୁ ସୋମବାର ମାଣିକପୁର ଗାଁ ର ଦେଢ଼ଶାଶୁ(ଅହଲ୍ୟା ଙ୍କ ବଡ ଭଉଣୀ) ଘରେ ପହଞ୍ଚି ସ୍ତ୍ରୀ ଅହଲ୍ୟା ଙ୍କ ସହ ପୁଣି ଝଗଡା କରିଥିଲେ।ସେ ପ୍ରତିବାଦ କରିବାରୁ ଡ଼ମ୍ବରୁ ଏକ ବ୍ଲେଡ ରେ ତାଙ୍କ ବେକ ଓ ମୁହଁ କୁ ବାରମ୍ବାର ଆଘାତ କରି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଅହଲ୍ୟା ଙ୍କ ଭଉଣୀ ଛଡ଼ାଇବା ରୁ ତାଙ୍କ ମୁହଁ କୁ ମଧ୍ୟ ବ୍ଲେଡ ରେ କାଟି ଦେଇଥିଲେ। ଘଟଣାର ପରଦିନ ଏନେଇ ଅହଲ୍ୟା କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏସ.ଆଇ ଅଭିଷେକ ପାଣ୍ଡବ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସ୍ତ୍ରୀ ଙ୍କୁ ହତ୍ୟାଉଦ୍ୟମ ରେ ସେ ବ୍ୟବହାର କରିଥିବା ବ୍ଲେଡ କୁ ଜବତ କରିଥିବା ଜଣାପଡିଛି ।


