ଭାରତକୁ ଏକ ମ୍ୟାନୁଫ୍ୟାକ୍‌ଚରିଂ ହବ୍‌ରେ ପରିଣତ କରିବା ପାଇଁ କୁଶଳୀ ଲୋକଶକ୍ତି ଅପରିହାର୍ଯ୍ୟ: ଶ୍ରୀ ଗଡ଼କରୀ

ନୂଆ ଦିଲ୍ଲୀ:କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ତଥା ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଆଜି ରାଜସ୍ଥାନର ଅଲୱାର ଜିଲା ଅନ୍ତର୍ଗତ ଭିୱାଡ଼ିଠାରେ ଏକ ଟେକ୍ନୋଲଜି ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହାକୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଯେ ଦେଶର ଜିଡିପିକୁ ମ୍ୟାନୁଫ୍ୟାକ୍‌ଚରିଂ ଉଦ୍ୟୋଗର ଅବଦାନ ପ୍ରାୟ ୨୨ରୁ ୨୪ ଶତାଂଶ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନ ଆହ୍ୱାନ ପରିପ୍ରେକ୍ଷୀରେ ଆମେ ଆଉ ୧୫ଟି ନୂଆ ଟେକ୍ନୋଲଜି ସେଣ୍ଟର ପ୍ରତିଷ୍ଠା କରିବା ସହ ୧୮ଟି ପୁରୁଣା ଟେକ୍ନୋଲଜି କେନ୍ଦ୍ରର ଉନ୍ନତୀକରଣ କରୁଛୁ । କୁଶଳୀ ଲୋକଶକ୍ତି ସୃଷ୍ଟି କରିବାରେ ଏସବୁ କେନ୍ଦ୍ରର ଜରୁରୀ ଆବଶ୍ୟକତା ରହିଛି । ଭାରତକୁ ଏକ ମ୍ୟାନୁଫ୍ୟାକ୍‌ଚରିଂ ହବ୍‌ରେ ପରିଣତ କରିବାକୁ ହେଲେ ଦକ୍ଷ ଓ କୁଶଳୀ ଲୋକଶକ୍ତିର ଆବଶ୍ୟକତା ଅପରିହାର୍ଯ୍ୟ ।
ଶ୍ରୀ ଗଡକରୀ ଆହୁରି କହିଛନ୍ତି ଯେ ଟେକ୍ନୋଲଜି ସେଣ୍ଟରଗୁଡିକ କୁଶଳ ବିକାଶ କ୍ଷେତ୍ରରେ ଏକ ଅଣୁଘଟକର ଭୂମିକା ନିର୍ବାହ କରିବ । ଏସବୁ କେନ୍ଦ୍ରକୁ ଆମେ ଋଣ ଯୋଗାଇ ଦେବାକୁ ଚିନ୍ତା କରୁଛୁ । ଏହାଦ୍ୱାରା ସେମାନେ ସ୍ଥାନୀୟ ଶିଳ୍ପସଂସ୍ଥାଙ୍କ ଆବଶ୍ୟକତା ପୂରଣ ପାଇଁ ନୂଆ ଯନ୍ତ୍ରପାତି ଓ ଟେକ୍ନୋଲଜି କିଣିପାରିବେ । ଏସବୁ ଟେକ୍ନୋଲଜି ସେଣ୍ଟରଗୁଡିକର ସଂପ୍ରସାରଣ କାର୍ଯ୍ୟ ମଧ୍ୟ ଚାଲିଛି । ଏହି ସଂପ୍ରସାରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରମାନେ ଜମି ଓ ଅନ୍ୟାନ୍ୟ ସାମଗ୍ରୀଗତ ସହାୟତା ଯୋଗାଇ ଦେବାପାଇଁ ସେ ନିବେଦନ କରିଛନ୍ତି । ଏହିସବୁ ସଂପ୍ରସାରିତ କେନ୍ଦ୍ର ସଂପୃକ୍ତ ଅଞ୍ଚଳରେ ଥିବା ନୂଆ ଓ ପୁରୁଣା ଶିଳ୍ପସଂସ୍ଥାଗୁଡିକର ଆବଶ୍ୟକତା ପୂରଣ କରିପାରିବ । ସେ ଆହୁର କହିଛନ୍ତି ଯେ ଏବେ କାର‌୍ୟ୍ୟ କରୁଥିବା ପଲିଟେକ୍‌ନିକ, ଆଇଟିଆଇ ଓ ଇଂଜିନିୟରିଂ କଲେଜଗୁଡିକୁ ଯୁବକମାନଙ୍କ କୁଶଳ ବିକାଶ କାର‌୍ୟ୍ୟ ପାଇଁ ବର୍ତ୍ତମାନ ସ୍ଥିତିରେ ବିନିଯୋଗ କରାଯାଇପାରେ । ଏଥିପାଇଁ ଶିଳ୍ପସଂସ୍ଥାମାନେ ସହାୟତା ଯୋଗାଇ ଦେବାପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।ଏଥିରେ ଉଦ୍‌ବୋଧନ ଦେଇ ଏମ୍‌ଏସ୍‌ଏମ୍‌ଇ, କୃଷି ପଶୁସଂପଦ, ଦୁଗ୍ଧ ଓ ମତ୍ସ୍ୟସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଏହି ଟେକ୍ନୋଲଜି ସେଣ୍ଟର ପ୍ରତିଷ୍ଠା ପାଇଁ ଭିୱାଡି ଏବଂ ରାଜସ୍ଥାନର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି କେନ୍ଦ୍ର ସଂପୃକ୍ତ ଅଞ୍ଚଳର ବିକାଶରେ ଏକ ମାଇଲଖୁଣ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଦେଶ ଆର୍ଥିକ ସଂକଟର ସମ୍ମୁଖୀନ । ଏଭଳି ସ୍ଥିତିରେ ଏସବୁ କେନ୍ଦ୍ର ଉତ୍ପାଦନ ବୃଦ୍ଧି, ବେକାରୀ ହ୍ରାସ କରିବା ସହ ଆତ୍ମନିର୍ଭର ଭାରତ ଗଠନର ସ୍ୱପ୍ନ ସାକାର କରିବାରେ ସହାୟକ ହୋଇପାରିବ । ଦେଶର ଯୁବ ସମାଜ ନିଜର ଦକ୍ଷତା ଓ କୁଶଳତାକୁ ବଢାଇ ଉଦ୍ୟୋଗ ପାଇଁ ନିଜକୁ ପ୍ରସ୍ତୁତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଅଭିନବ ଭାରତ ଆହ୍ୱାନକୁ ସାକାର କରିବା ପାଇଁ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି । ମନ୍ତ୍ରଣାଳୟର ସଚିବ ଶ୍ରୀ ଏ.କେ. ଶର୍ମା କହିଛନ୍ତି ଯେ ନୂଆକରି ପ୍ରତିଷ୍ଠା ହେବାକୁ ଥିବା ଟେକ୍ନୋଲଜି ସେଣ୍ଟରଗୁଡିକ ମୁଖ୍ୟତଃ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗକୁ ସହାୟତା ଯୋଗାଇବ । ଜେନେରାଲ ଇଂଜିନିୟରିଂ, ଅଟୋମୋଟିଭ, ଫ୍ରାଗ୍ରାନ୍ସ ଓ ଫ୍ଲାବର ତଥା ଇଏସ୍‌ଡିଏମ୍ ଆଦି କ୍ଷେତ୍ରରେ ଏହି କେନ୍ଦ୍ରଗୁଡିକ ବିଶେଷ ସହାୟତା ଯୋଗାଇଦେବ । ଏହିସବୁ କେନ୍ଦ୍ରରେ ବିଭିନ୍ନ ପ୍ରକାର ମ୍ୟାନୁଫ୍ୟାକ୍‌ଚରିଂ ଟେକ୍‌ନୋଲଜି ଯଥା ସିଏମ୍‌ସି ମେସିନ, ଥ୍ରିଡି ମ୍ୟାନୁଫ୍ୟାକ୍‌ଚରିଂ/ ଆଡିଟିଭ୍ ମ୍ୟାନୁଫ୍ୟାକ୍‌ଚରିଂ/ଲାଜର/ଅଲ୍‌ଟ୍ରାସୋନିକ ମେସିନିଂ/ରୋବୋଟିକ୍ସ ଓ ପ୍ରୋସେସ ଅଟୋମେସନ, ପ୍ରିସିସନ ମେଜରମେଣ୍ଟ/ମେଟ୍ରୋଲଜି ଇକ୍ୟୁପମେଣ୍ଟ, ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍‌ଚରିଂ ସୁବିଧା, ଇଲେକ୍ଟ୍ରୋ ନିକ୍ସ ସିଷ୍ଟମ ଡିଜାଇନ ଏବଂ ମ୍ୟାନୁଫ୍ୟାକ୍‌ଚରିଂ ପାଇଁ କାଲିବ୍ରେସନ ଓ ଟେଷ୍ଟିଂ ସୁବିଧା ଆଦି ଉପଲବ୍ଧ , ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଏହାର ଉନ୍ନୟନ କମିସନରଙ୍କ ଜରିଆରେ ଟେକ୍ନୋଲଜି ସେଣ୍ଟର ସିଷ୍ଟମ ପ୍ରୋଗ୍ରାମକୁ କାର୍ଯ୍ୟକାରୀ କରୁଛି । ଏହା ମାଧ୍ୟମରେ ୧୫ଟି ନୂଆ ଟେକ୍ନୋଲଜି ସେଣ୍ଟର ସ୍ଥାପନ କରାଯିବ ଏବଂ ଏବେ ଦେଶରେ ଥିବା ଏଭଳି ଅନ୍ୟ ୧୮ଟିର ବିକାଶ କାର୍ଯ୍ୟ ହାତକୁ ନିଆଯିବ ।ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ଶିଳ୍ପମନ୍ତ୍ରୀ ଶ୍ରୀ ପ୍ରସାଦୀଲାଲ ମୀଣା, ଲୋକସଭା ସଦସ୍ୟ ଶ୍ରୀ ମହନ୍ତ ବାଳକନାଥ ଏବଂ ବିଧାନସଭା ସଦସ୍ୟ ଶ୍ରୀ ସନ୍ଦୀପ ଯାଦବ ପ୍ରମୁଖ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ