ରାସନ ସାମଗ୍ରୀରୁ ବଞ୍ଚିତ ୮୮ବର୍ଷିୟ ବୃଦ୍ଧା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସରକାରଙ୍କ ପରିବର୍ତ୍ତିତ ଆଧାରକାର୍ଡ ସମ୍ବନ୍ଧୀୟ ଆଇନ ଯୋଗୁ ଅନେକ ଯୋଗ୍ୟ ହିତାଧିକାରୀ ବିଭିନ୍ନ ଜନ କଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି । ବୟସାଧିକ କାରଣ ଯୋଗୁ ଆଧାରକାର୍ଡ ପାଇଁ ଆଙ୍ଗୁଳି ଛାପ ଓ ଆଖିଲେନ୍ସ କମ୍ପ୍ୟୁଟର ମାଧ୍ୟମରେ ଠିକ ଆସୁନଥିବାରୁ ଅନେକ ବୃଦ୍ଧ, ବୃଦ୍ଧା ଭତ୍ତା ଓ ରାସନ ସାମଗ୍ରୀ ପାଉନଥିବା ଅଭିଯୋଗ ହେଉଛି । ମିଳିଥିବା ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକର ସରସଦା ଗ୍ରାମର ୮୮ବର୍ଷିୟ ହେମଲତା ଷେଣ୍ଢ ରାସନ ସାମଗ୍ରୀରୁ ବଞ୍ଚିତ ହୋଇଛନ୍ତି । ଆଧାରକାର୍ଡ ଆଇନ ଲାଗୁହେବା ପରେ ଦୀର୍ଘର୍ ୮ମାସ ହେବ ଡିଲର ତାଙ୍କୁ ଚାଉଳ ମୁଠାଏ ଦେଉନାହିଁ । ରାସନକାର୍ଡରେ ତାଙ୍କର ନାମ ଥାଇ ଆଧାରକାର୍ଡ ନଥିବାରୁ ତାଙ୍କୁ ଏଥିରୁ ବଞ୍ଚିତ କରାଯାଇଛି । ଏନେଇ ତାଙ୍କ ପୁଅ ବିଡିଓଙ୍କ ଠାରୁ ଆରମ୍ଭ କରି ଯୋଗାଣ ଅଧିକାରୀଙ୍କ ଯାଏଁ ଆପତ୍ତି ଅଭିଯୋଗ କରୁଥିଲେ ସୁଦ୍ଧା ସମସ୍ୟା ସମାଧାନ ପାଇଁ କେହି ତତ୍ପରତା ପ୍ରକାଶ କରୁନାହାଁନ୍ତି । ଯେଉଁଥି ପାଇଁ ନାମମାତ୍ର ଚାଷୀ ହିସାବରେ ହେମଲତାଙ୍କ ଭଳି ଏକ ଗରୀବ ପରିବାରର ପ୍ରାପ୍ୟ ଚାଉଳକୁ ଦିଆଯାଉନାହିଁ । ଆଧାରକାର୍ଡ ନଥିଲେ ବିଡିଓଙ୍କ ସ୍ୱତନ୍ତ୍ର କ୍ଷମତା ଯୋଗୁ ବାଇପାସିଂ ଜରିଆରେ ଜଣେ ହିତାଧିକାରୀଙ୍କୁ ସାମଗ୍ରୀ ଯୋଗାଯାଇପାରିବ ବୋଲି ନିୟମ ରହିଛି । ସେ ଦୃଷ୍ଟିରୁ ହେମଲତାକୁ ଯଥାଶୀଘ୍ର ଆଠମାସର ସାମଗ୍ରୀ ଯୋଗାଇବା ସହ ତାଙ୍କ ନାମକୁ ଅନଲାଇନରେ ସଂଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ଏନେଇ ଯୋଗାଣ ନିରୀକ୍ଷକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ତାଙ୍କର ରାସନକାର୍ଡ ଓ ଭୋଟରପରିଚୟ ପତ୍ର ଯେତେଶୀଘ୍ର ହସ୍ତଗତ ହେବ ପ୍ରଚଳିତ ବ୍ୟବସ୍ଥା ଭିତ୍ତିରେ ଆମେ ତାଙ୍କୁ ଯଥାଶୀଘ୍ର ରାସନ ସାମଗ୍ରୀ ଯୋଗାଇଦେବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ