ଗାନ୍ଧୀଜୀ ଓ ବଳି କାହାଣୀ
ବିପିନ ବିହାରୀ ମହାନ୍ତି
ଠାକୁର ବା ଠାକୁରାଣୀଙ୍କ ପାଖେ ବଳି ଚଢ଼ାଇବା କୁସଂସ୍କାର ଜନିତ ଏକ ନିଷ୍ଠୁର ଏବଂ ମନ୍ଦପ୍ରଥା । କୌଣସି କଥା ମନାସୀ ଅଥବା ରୋଗ ବା କୌଣସି ପ୍ରାକୃତିକ ଦୁର୍ବିପାକରୁ ମୁକ୍ତି ନେବା ପାଇଁ ଇଚ୍ଛାକରି ଦେବ ବା ଦେବୀମାନଙ୍କୁ ବଳି ଚଢ଼ାଇବା ଏକ ସାଂଘାତିକ ଅନ୍ଧବିଶ୍ୱାସ ଓ ଘୃଣ୍ୟ ପରମ୍ପରା । କୌଣସି ରୋଗ ବା ଦୁର୍ବିପାକ ପାଇଁ ଏମାନେ ଦାୟୀ ନୁହନ୍ତି, କାରଣ ବି ନୁହନ୍ତି । ତେଣୁ ଏମାନଙ୍କୁ ଯେତେ ଗୁହାରୀ କଲେ ବା ଭୋଗ ଚଢ଼ାଇଲେ, ସେମାନେଥିଲେ, ତାଙ୍କର କିଛି କରିବାର ନାହିଁ । ତେଣୁ ତାଙ୍କୁ ସନ୍ତୋଷ କରାଇବା ବା ଅସନ୍ତୁଷ୍ଟ କରିବା ଏକ ଅଯୌକ୍ତିକ ଓ ଅଯଥାର୍ଥ ପ୍ରଶ୍ନ ।
ରୋଗପାଇଁ ରୋଗର ଜୀବାଣୁ ବା ଭୂତାଣୁ ହିଁ କାରଣ । ଦେବାଦେବୀଙ୍କ କୋପନୁହେଁ । ବଢ଼ି, ମରୁଡ଼ି ଓ ପ୍ରାକୃତିକ ଦୁର୍ବିପାକ ପାଇଁ ପ୍ରକୃତି ଦାୟୀ, ଠାକୁର ବା ଠାକୁରାଣୀ ନୁହନ୍ତି । ରୋଗର ନିଦାନ କରି ଚିକିତ୍ସା କଲେ ରୋଗ ଭଲ ହୁଏ । ପ୍ରାକୃତିକ ବିପଦ ପ୍ରତି ସତର୍କ ବା ସାବଧାନ ରହିଲେ ଅଥବା ତା’ପ୍ରତି ଆଶୁ ପ୍ରତିକାର କଲେ, ନିଜକୁ ବଂଚେଇ ହୁଏ । କାହାକୁ ପୂଜି ନୁହେଁ । ଏଗୁଡ଼ାକ ପ୍ରମାଣିତ ସତ୍ୟ ।
ପ୍ରତ୍ୟେକ ଶିକ୍ଷିତ ଏଥିପ୍ରତି ସଚେତନ ରହି ଏ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂରେଇବାକୁ ଚେଷ୍ଟା କରିବା ଉଚିତ୍ । ତେବେ ଧିରେ, ସୁସ୍ଥେ ଏବଂ ଲୋକଙ୍କର ବିଶ୍ୱାସରେ ପରିବର୍ତ୍ତନ ଆଣି କରିବାକୁ ହେବ । ଏହାହିଁ ଜାତିର ପିତା ଗାନ୍ଧୀ କହୁଥିଲେ ।
ଏକଦା ଗାନ୍ଧୀଜୀ ଚମ୍ପାରନରେ ଥାଆନ୍ତି । ସେ ଦେଖିଲେ ଗାଁର ଲୋକମାନେ ବାଦ୍ୟବାଜଣା ବଜାଇ ଗାଁ ଦାଣ୍ଡରେ ଚାଲିଛନ୍ତି । କେତୋଟି ଛେଳିବେକରେ ଫୁଲମାଳ ପକାଇ ନେଉଥାଆନ୍ତି ଶୋଭାଯାତ୍ରାରେ । ଗାନ୍ଧୀଜୀ ତାଙ୍କ ଶୋଭାଯାତ୍ରାରେ ଯୋଗ ଦେଲେ । ଏ ଶୋଭାଯାତ୍ରା ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିରଠି ଅଟକିଲା । ବାଦ୍ୟ ବାଜଣା ବନ୍ଦହେଲା । ଲୋକମାନେ ଛେଳିଗୁଡ଼ିକୁ ବଳିଦେବାକୁ ପ୍ରସ୍ତୁତ କଲେ । ଏହା ଦେଖି ଗାନ୍ଧୀ ପଚାରିଲେ, “ଭାଇମାନେ, ଏ ଛେଳିଗୁଡ଼ିକୁ କାହିଁକି ବଳି ଦେବ ?”
ଲୋକ କହିଲେ, “ବଳିନେଲେ ଠାକୁରାଣୀ ଖୁସିହେବେ । ଗାଁର ମଙ୍ଗଳ ହେବ ।” ଗାନ୍ଧୀ କହିଲେ “ଦେଖ, ଛେଳିଠୁ ମଣିଷମାନେ ବହୁତ ଉପରେ । ଛେଳି ବଦଳରେ ମଣିଷକୁ ବଳିଦେଲେ, ଠାକୁରାଣୀ ବହୁତ ଖୁସିହେବେ । ତୁମ ଭିତରେ କ’ଣ ବଳି ପଢ଼ିବାରେ କେହିଜଣେ ପ୍ରସ୍ତୁତ ନୁହଁ ? ଯେବେ ନାହଁ, ତେବେ ମୋତେ ବଳିଦିଅ, ଏ ଛେଳିମାନଙ୍କୁ ନୁହଁ ।”
ଏତିକିରେ ମୁହଁ ବନ୍ଦ । କାହାରିଠି କଥା ନାହିଁ । ଏଥିକୁ ଗାନ୍ଧିପୁଣି ଆରମ୍ଭ କଲେ, “ଦେଖୁଛ ଏ ଜୀବଗୁଡ଼ାକ କେତେ ନିରୀହ । ସେମାନେ କଥା କହିପାରୁନାହାନ୍ତି ସିନା, ତାଙ୍କ ଛଳ ଛଳ ଆଖି କ’ଣ କହୁଚି ଟିକିଏ ପଢ଼ । ତାଙ୍କୁ ବୁଝିବାକୁ ଚେଷ୍ଟାକର । ତାଙ୍କ ମରଣମୁଖୀ ବିକଳ ଆର୍ତ୍ତନାଦକୁ ଭଲକି ଶୁଣ ଓ ବୁଝ । ତୁମର ସବୁ ହୃଦୟ ଅଛିତ ? ଏହି ଅସହାୟ ଜୀବଗୁଡ଼ିକୁ ହତ୍ୟା କଲେ ଠାକୁରାଣୀ ଖୁସି ହେବେ ନାହିଁ, ବରଂ କ୍ରୋଧ କରିବେ । ତୁମକୁ ଅଭିଷାପ ଦେବେ । ଶୁଣ, ମା’ କ’ଣ ତା’ ସନ୍ତାନର ରକ୍ତ ଚାହେଁ ? ଏକଥା ଟିକିଏ ଗଭୀର ଭାବରେ ଚିନ୍ତା କର । ଏମାନଙ୍କୁ ମୁକ୍ତି ଦିଅ । କୌଣସି ରୋଗ, ଏମିତିରେ ହଇଜା ବି ବସନ୍ତ ଠାକୁରାଣୀଙ୍କ କୋପନୁହେଁ । କି ଛେଳି, କୁକୁଡ଼ା, ପୋଢ଼ କି ଆଉ କୋଉଜୀବ ବଳିଦେଲେ, ଠାକୁରାଣୀ ସନ୍ତୁଷ୍ଟ ନୁହେଁନ୍ତି କି ଏ ରୋଗମାନେ ଦୂରେଇ ଯାଆନ୍ତି ନାହିଁ । ଏସବୁକୁ ଚିକିତ୍ସା ଦରକାର । ଏସବୁ ବ୍ୟବସ୍ଥାକୁ କୁହନ୍ତି କୁସଂସ୍କାର ବା ଅନ୍ଧ ବିଶ୍ୱାସ । ଏଥିରୁ ଦୂରେଇ ରୁହ ?”
ସେଦିନ ଗାନ୍ଧୀଥିଲେ ଓ ବୁଝାଇଥିଲେ ବୋଲି ସେ ଜନ୍ତୁଗୁଡ଼ିକ ବଂଚିଗଲେ । ଲୋକଙ୍କ ଉପରେ ପରପ୍ରଭାବ କ’ଣ ଥିବ, କହିହେବନି ଅଥଚ ଆମେ ଏବେ କରୁଛେ କ’ଣ ? ଆମେ ପୁଣି ବିଜ୍ଞାନ ଯୁଗରେ ବଂଚିଛେ । ଦୁଃଖ ଯେ, ‘ବଳି’ର ପ୍ରକୃତ ଅର୍ଥ ନ ବୁଝି ଆମେ କରି ଚାଲିଛେ ଜୀବ ହତ୍ୟା । ଛିଃ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮
ବିପିନ ବିହାରୀ ମହାନ୍ତି