ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ପକ୍ଷରୁ ଜାତୀୟ ଶିକ୍ଷାନୀତି- ୨୦୨୦କୁ ନାକଚ କରାଯିବା ସହ ତାହାର ସଂଶୋଧନ ପାଇଁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା) ପକ୍ଷରୁ ଜାତୀୟ ଶିକ୍ଷାନୀତି -୨୦୨୦କୁ ନାକଚ କରାଯିବା ସହ ତାହାର ଅମୁଳଚୁଳ ପରିବର୍ତ୍ତନ କରାଯିବାକୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଓଷ୍ଟା ସେହି ଜାତୀୟ ଶିକ୍ଷାନୀତିକୁ ନାକଚ କରିବା ସହିତ କହିଛି ଯେ ଏହା ଶିକ୍ଷାକୁ କେନ୍ଦ୍ରୀକରଣ,ବେସରକାରୀକରଣ କରାଯିବା ନିମନ୍ତେ ପ୍ରସ୍ତୁତ କରାଯାଇଛି । ଜାତୀୟ ଶିକ୍ଷାନୀତି ଦ୍ୱାରା ସମାନତା,ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ଏହା ପ୍ରଭାବିତ କରିବ । ରାଜ୍ୟ ସରକାରଙ୍କ ପିଲାମାନଙ୍କ ଶିକ୍ଷା ଲାଭ ଅଧିକାର ଲକ୍ଷ୍ୟକୁ ପୁରଣ କରିବା ଦିଗରେ ଥିବା କ୍ଷମତାକୁ ସଂକୁଚିତ କରାଯାଇଛି । ଏସମ୍ପର୍କରେ ଓଷ୍ଟା ପକ୍ଷରୁ ପ୍ରଦାନ କରାଯାଇଥିବା ପରାମର୍ଶକୁ ଅନେକାଂଶରେ ସରକାର ଦୃଷ୍ଟିଦେଇନଥିବା ଓଷ୍ଟା ପକ୍ଷରୁ କୁହାଯାଇଛି । ଜାତୀୟ ଶିକ୍ଷାନୀତି ଜାତୀୟ ଉନ୍ନୟନ ପାଇଁ ଏକ ଲମ୍ବା ସମୟ ପାଇଁ ପ୍ରସ୍ତୁତ ଏକ ଡକ୍ୟୁମେଂଟ । ଏହା ପ୍ରସ୍ତୁତ କରାଯିବା ପୂର୍ବରୁ କେବଳ ହିତାଧିକାରୀ ନୁହନ୍ତି ସମସ୍ତ ରାଜନୈତିକ ଦଳ,ସାମାଜିକକର୍ମୀ,ଶିକ୍ଷାବୀତଙ୍କ ସମେତର ଅନ୍ୟ ଅନୁଷ୍ଠାନ ଗୁଡିକ ସହିତ ଆଲୋଚନା କରାଯିବା ଆବଶ୍ୟକ । ଓଷ୍ଟାର କହିବା କଥା ହେଉଛି ସାରାବିଶ୍ୱରେ କୋଭିଡ-୧୯କୁ ନେଇ ଏକ ଗଭୀର ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖିନ ହୋଇଥିବା ବେଳେ ଏଭଳି ଭାବେ ବହୁଳ ଭାବରେ ଏସମ୍ପର୍କରେ ଆଲୋଚନା କରାନଯାଇ ଜାତୀୟ ଶିକ୍ଷା ନୀତି – ୨୦୨୦କୁ ପ୍ରଣୟନ କରାଯିବା ଉଚିତ ନୁହେଁ । ଓଷ୍ଟା ପକ୍ଷରୁ ଏହି ଶିକ୍ଷାନୀତିକୁ ଆମୁଳଚୁଳ ପରିବର୍ତ୍ତନ କରାଯିବାକୁ ବିସ୍ତୃତ ଭାବେ ପରାମର୍ଶ ପ୍ରଦାନ କରାଯାଇଛି । ତେଣୁ ଏହାକୁ ବିଚାରକୁ ନିଆଯାଇ ସେହି ଅନୁଯାଇ ଶିକ୍ଷାନୀତିର ପରିବର୍ତ୍ତନ କରାଯିବାକୁ ଓଷ୍ଟା ପକ୍ଷରୁ ଦାବୀ କରାଯାଇଛି । ଓଷ୍ଟାର ଜିଲ୍ଲା ସଭାପତି କ୍ଷୀରୋଦ କୁମାର ମଲ୍ଲିକ, ସମ୍ପାଦକ ତପନ କୁମାର ସିଂ, ଶିକ୍ଷକନେତା ପ୍ରଣବ କୁମାର ଜେନା, ସଞ୍ଜୟ କୁମାର ସାମଲ, ବାବାଜୀ ଚରଣ ଦାସ, ଅରବିନ୍ଦ ନାୟକ, ବୃନ୍ଦାବନ ସ୍ୱାଇଁ, ଅଜୟ କୁମାର ନାୟକ, ଗଗନବିହାରୀ ସୁତାର, ପ୍ରମୋଦ କୁମାର ବେହେରା, ଅଲେଖ ଚନ୍ଦ୍ର ମହାନ୍ତି, ମହେଶ୍ୱର ରାଉତ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।