ସିରାଜଙ୍କ ଆଇପିଏଲ୍ କୀର୍ତ୍ତିମାନ
ଭୁବନେଶ୍ୱର,(ୱାଇଏନ୍ଏସ୍): ବୁଧବାର ଚଳିତ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ର ୩୯ତମ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇପିଏଲ୍ରେ ନୂଆ କୀର୍ତ୍ତିମାନ ରଚିଥିଲେ। ଆଇପିଏଲ୍ ଇତିହାସରେ ୨ ମେଡେନ୍ ନେବାରେ ସେ ପ୍ରଥମ ବୋଲର ହୋଇଥିଲେ। କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ସେ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିବା ସହିତ ୪-୨-୮-୩ର ବୋଲିଂ ଚିତ୍ର ପାଇଥିଲେ। ତାଙ୍କର ଏହି ଘାତକ ବୋଲିଂ ସାଙ୍ଗକୁ ସ୍ପିନର ୟୁଜ୍ବେନ୍ଦ୍ର ଚହଲ ଏବଂ ୱାସିଂଟନ୍ ସୁନ୍ଦରଙ୍କ ଦମ୍ଦାର ବୋଲିଂ ବଳରେ ବାଙ୍ଗାଲୋର ମଧ୍ୟ ଅତି ସହଜ ବିଜୟ ହାସଲ କରିନେଲା। ଏହି ଦଳ ୩୯ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ କୋଲ୍କାତାକୁ ପରାସ୍ତ କରିଦେଲା। ସିରାଜ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ଦଶମ ମ୍ୟାଚ୍ରୁ ସପ୍ତମ ବିଜୟ ସହ ବାଙ୍ଗାଲୋର ମଧ୍ୟ ପଏଣ୍ଟ ତାଲିକାର ଚତୁର୍ଥରୁ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ୧୪ ପଏଣ୍ଟ ପାଇଁ ବିରାଟ କୋହଲିଙ୍କ ଏହି ଦଳ ପ୍ଲେ-ଅଫ୍ ସ୍ଥାନ ପାଇଁ ସ୍ଥିତି ମଜବୁତ୍ କରିନେଇଛି। ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟରୁ ତୃତୀୟକୁ ଖସିଯାଇଥିଲା ବେଳେ ପରାଜୟ ସତ୍ତ୍ବେ କୋଲ୍କାତା ଚତୁର୍ଥ ସ୍ଥାନ ବଜାୟ ରଖିଛି । କୋଲ୍କାତା ଦେଇଥିବା ୮୫ ରନ୍ର ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବାଙ୍ଗାଲୋର ପାଇଁ ଦେବଦତ୍ତ ପଡ଼ିକଲ (୨୫) ଏବଂ ଆରୋନ୍ ଫିଞ୍ଚ୍ (୧୬) ଭଲ ଆରମ୍ଭ କରିଥିଲେ। ଦୁହେଁ ପାୱାର ପ୍ଲେ’ରେ ୪୪ ରନ୍ ଯୋଡ଼ିଥିଲେ। ତେବେ ସପ୍ତମ ଓଭରରେ ଉଭୟ ଫିଞ୍ଚ୍ ଓ ପଡ଼ିକଲ ଆଉଟ୍ ହୋଇଯାଇଥିଲେ। ଫିଞ୍ଚ୍ଙ୍କୁ ଫର୍ଗୁସନ୍ ଶିକାର କରିଥିଲା ବେଳେ ଦୁଇଟି ବଲ୍ ବ୍ୟବଧାନରେ ପଡ଼ିକଲ ରନ୍ ଆଉଟ୍ ହୋଇଯାଇଥିଲେ। ହେଲେ ଗୁରକୀରଟ ସିଂହ ଏବଂ ଅଧିନାୟକ ବିରାଟ କୋହଲି ଆଉ କୌଣସି କ୍ଷତି ଘଟିବାକୁ ନଦେଇ ବିଜୟ ମୁଣ୍ଡି ମାରିଥିଲେ। ଦୁହେଁ ଅସମାପ୍ତ ତୃତୀୟ ୱିକେଟ୍ରେ ୩୯ ରନ୍ ଯୋଡ଼ିନେବାରୁ ବାଙ୍ଗାଲୋର ୧୩.୩ ଓଭରରେ ୮୫/୨ରେ ପହଞ୍ଚି ଯାଇଥିଲା। ଫଳରେ କୋଲ୍କାତା ୮ ୱିକେଟ୍ରେ ପରାଜୟ ବରଣ କରିଥିଲା।


