ଦକ୍ଷିଣ କୋରିଆର ଆଉ ଏକ ଫିଲ୍ମର ରିମେକ୍ କରିବେ ସଲ୍ମାନ୍
ମୁମ୍ବାଇ: ଚଳିତ ବର୍ଷ ଜୁନ୍ ମାସରେ ବଲିଉଡ୍ର ଅନ୍ୟତମ ସୁପରଷ୍ଟାର୍ ସଲ୍ମାନ୍ ଖାନ୍ଙ୍କ ଫିଲ୍ମ “ଭାରତ’ ରିଲିଜ୍ ହାଇଥିଲା । ଏହା ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । ଏହି ଫିଲ୍ମଟି ଥିଲା ଦକ୍ଷିଣ କାରିଆର ଫିଲ୍ମ “ଓଡ୍ ଟୁ ମାଇଁ ଫାଦର୍’ର ରିମେକ୍ । “ଭାରତ’ର ସଫଳତା ପରେ ସଲ୍ମାନ୍ ଦକ୍ଷିଣ କୋରିଆର ଆଉ ଏକ ଫିଲ୍ମକୁ ରିମେକ୍ କରିବା ପାଇଁ ଚାହୁଁଥିବା ଜଣାପଡ଼ିଛି ।
ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆର ଆଉ ଏକ ଫିଲ୍ମ ରିମେକ୍ କରିବାକୁ ସଲ୍ମାନ୍ ନିଷ୍ପତ୍ତି ନେବା ସହିତ ଏ ଦିଗରେ ଆଗେଇ ସାରିଲେଣି । ଏ ଫିଲ୍ମ ପାଇଁ ସେ ପ୍ରଭୁ ଦେବାଙ୍କ ସହ ହାତ ମିଳାଇଛନ୍ତି । ଫିଲ୍ମର ନାଁ ମଧ୍ୟ ସ୍ଥିର ହୋଇ ସାରିଲାଣି । ସେ ଫିଲ୍ମଟିର ନାଁ “ରାଧେ’ ରଖିବା ପାଇଁ ଭାବିଚନ୍ତି । ‘ୱାଣ୍ଟେଡ୍’ ଫିଲ୍ମରେ ସଲମାନ୍ “ରାଧେ’ ନାମକ ଚରିତ୍ରରେ ଅଭିନୟ କରିଥିଲେ ।
ଏହା ବି ସୂଚନା ଆସିଛି ଯେ, ଏହି ଫିଲ୍ମରେ ସଲ୍ମାନ୍ ଜଣେ ପୁଲିସ୍ ଅଫିସର୍ ଅବା ଗୁପ୍ତଚର ଭୂମିକାରେ ଅଭିନୟ କରିବେ ।
ଦକ୍ଷିଣ କୋରିଆର କେଉଁ ଫିଲ୍ମଟିକୁ ସେ ରିମେକ୍ କରିବେ, ତାହା ଅବଶ୍ୟ ଜଣାପଡ଼ିନି । କିନ୍ତୁ ଏ ଫିଲ୍ମର ରାଇଟ୍ସ ଅତୁଲ ଅଗ୍ନିହୋତ୍ରୀଙ୍କ ପାଖରେ ରହିଛନ୍ତି । ସଲ୍ମାନ୍ ତାଙ୍କଠାରୁ ସେ ଅଧିକାର ଆଣି ଫିଲ୍ମଟି ତିଆରି କରିବେ ବୋଲି କୁହାଯାଉଛି । ସଲ୍ମାନ୍ ଏବେ ପ୍ରଭୁ ଦେବାଙ୍କ ସହ “ଦବଙ୍ଗ ୩’ରେ କାମ କରୁଛନ୍ତି । ଫିଲ୍ମଟି ଡିସେମ୍ବର ୨୦ ତାରିଖରେ ରିଲିଜ୍ ହେବ ।


