ବାହ୍ୟ ଆର୍ଥିକ ସହାୟତାରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନଦୀବନ୍ଧ ପୁନରୁଦ୍ଧାର ଓ ଉନ୍ନତିକରଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନଦୀବନ୍ଧ ପୁନରୁଦ୍ଧାର ଏବଂ ଉନ୍ନତିକରଣ ପ୍ରକଳ୍ପ (ଡିଆରଆଇପି)କୁ ମଞ୍ଜୁରି ମିଳିଛି । ଏହି ଦୁଇଟି ପ୍ରକଳ୍ପ ପାଇଁ ବିଶ୍ୱ ବ୍ୟାଙ୍କ (ଡବ୍ଲୁବି) ଏବଂ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (ଏଆଇଆଇବି) ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ବ୍ୟବସ୍ଥାଗତ ପରିଚାଳନା ଆଭିମୁଖ୍ୟ ନେଇ ସଂସ୍ଥାଗତ ଦୃଢ଼ତା ସହିତ ସାରା ଦେଶରେ ଥିବା ନଦୀବନ୍ଧଗୁଡ଼ିକର ନିରାପତ୍ତା ଓ ପରିଚାଳନା ପ୍ରଦର୍ଶନରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପ ଅଧୀନରେ ସାରା ଦେଶରେ ୭୩୬ଟି ବର୍ତ୍ତମାନର ନଦୀବନ୍ଧ ଗୁଡ଼ିକର ବ୍ୟାପକ ପୁନରୁଦ୍ଧାର ପାଇଁ ପରିକଳ୍ପନା କରାଯାଇଛି। ଏଥିରେ ଓଡ଼ିଶାର ୩୬ ଟି ନଦୀବନ୍ଧକୁ ସାମିଲ କରାଯାଇଛି । ଏହି ପ୍ରକଳ୍ପ ପାଇଁ ୧୦,୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୩୧ ପର୍ଯ୍ୟାୟ ୧୦ ବର୍ଷର ଅବଧି ଲାଗି ଦୁଇଟି ପର୍ଯ୍ୟାୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପ୍ରତ୍ୟେକ ପର୍ଯ୍ୟାୟ ର ଅବଧି ଦୁଇ ବର୍ଷର ଅତିରିକ୍ତ ସମୟ ସହିତ ୬ ବର୍ଷ ରହିବ। ମୋଟ ପ୍ରକଳ୍ପ ଖର୍ଚ୍ଚରୁ ୭୦୦୦ କୋଟି ଟଙ୍କା ବାହ୍ୟ ପାଣ୍ଠି ଯୋଗାଣ ମାଧ୍ୟମରେ ଭରଣା କରାଯିବାକୁ ଥିବା ବେଳେ ଅବଶିଷ୍ଟ ୩,୨୧୧ କୋଟି ଟଙ୍କା ସମ୍ପୃକ୍ତ କାର୍ଯ୍ୟକାରୀ ଏଜେନ୍ସି ବହନ କରିବ। କେନ୍ଦ୍ର ସରକାରଙ୍କ ଯୋଗଦାନ ଋଣ ଦେୟତା ଆକାରରେ ୧,୦୨୪ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଉପାଦାନର ଅଂଶବିଶେଷ ଭାବେ (କାଉଣ୍ଟର ପାର୍ଟ ଫଣ୍ଡିଂ) ୨୮୫ କୋଟି ଟଙ୍କା ଉପଲବ୍ଧ କରାଯିବ । ଡିଆରଆଇପି ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ନିମ୍ନଲିଖିତ ଉଦ୍ଦେଶ୍ୟର ପରିକଳ୍ପନା କରାଯାଇଛି ଚୟନ କରାଯାଇଥିବା ବର୍ତ୍ତମାନର ନଦୀବନ୍ଧ ଏବଂ ସମ୍ପୃକ୍ତ ପରିସମ୍ପତ୍ତିଗୁଡ଼ିକର ସୁରକ୍ଷା ଓ ପ୍ରଦର୍ଶନରେ ସ୍ଥାୟୀ ସୁଧାର ଆଣିବା,ଏଥିରେ ସାମିଲ ରାଜ୍ୟଗୁଡ଼ିକ ସହିତ କେନ୍ଦ୍ରୀୟ ସ୍ତରରେ ନଦୀବନ୍ଧ ସୁରକ୍ଷା ସହ ଜଡ଼ିତ ସଂସ୍ଥାଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ କେତେକ ଚୟନ କରାଯାଇଥିବା ନଦୀବନ୍ଧରେ ବିକଳ୍ପ ସାଧନଗୁଡ଼ିକୁ ଠାବ କରିବା, ଯାହା ଫଳରେ ନଦୀବନ୍ଧର ସ୍ଥାୟୀ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ଅତିରିକ୍ତ ରାଜସ୍ୱ ମିଳିପାରିବ । ଉପରୋକ୍ତ ଉଦ୍ଦେଶ୍ୟ ପୂରଣ କରିବା ଲାଗି ଡିଆରଆଇପି ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ନିମ୍ନୋକ୍ତ ଉପାଦାନଗୁଡ଼ିକୁ ସାମିଲ କରାଯାଇଛି ନଦୀବନ୍ଧ ଏବଂ ତତସଂକ୍ରାନ୍ତ ପରିସମ୍ପତ୍ତିର ପୁନରୁଦ୍ଧାର ଏବଂ ସୁଧାର ଅଂଶ ଗ୍ରହଣ କାରୀ ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମଧ୍ୟରେ ନଦୀବନ୍ଧ ସୁରକ୍ଷା ପାଇଁ ସଂସ୍ଥାଗତ ସୁଦୃଢ଼ତା । କେତେକ ଚୟନ କରାଯାଇଥିବା ବନ୍ଧରେ ବିକଳ୍ପ ସାଧନକୁ ଚିହ୍ନଟ କରିବା ଠାବ କରିବା, ଯାହା ଫଳରେ ନଦୀବନ୍ଧର ସ୍ଥାୟୀ ପରିଚାଳନା ଏବଂ ରକ୍ଷଣା ବେକ୍ଷଣ ନିମନ୍ତେ ଅତିରିକ୍ତ ରାଜସ୍ୱ ମିଳିପାରିବ ।


