ଜିଲ୍ଲା ସ୍ତରୀୟ ସ୍ୱଚ୍ଛତା ଓ ପରିମଳ କର୍ମଶାଳା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଜିଲ୍ଲା ଜଳ ଓ ପରିମଳ ମିଶନ, ଛତ୍ରପୁର ଗଞ୍ଜାମ ଆନୁକୂଲ୍ୟରେ ମଙ୍ଗଳବାର ହିଞ୍ଜିଳିକାଟୁରେ ଜିଲ୍ଲା ସ୍ତରୀୟ ସ୍ୱଚ୍ଛତା ଓ ପରିମଳ ସମ୍ପର୍କିତ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ହିଞ୍ଜିଳି ବ୍ଲକ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ମନୋରଞ୍ଜନ ସାହୁଙ୍କ ମିଳିତ ତତ୍ତ୍ୱାବଧାନରେ ପୌର ପରିଷଦ ସଭା ଗୃହ ପରିସରରେ ଆୟୋଜିତ କର୍ମଶାଳାର ପ୍ରଥମ ଦିବସରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ୱଚ୍ଛ ଓଡିଶା,ସୁସ୍ଥ ଓଡିଶା ଯୋଜନାରେ ଗଞ୍ଜାମ ଜିଲ୍ଲାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସୁଚାରୁରୂପେ କାର୍ଯ୍ୟକାରୀ କରିବା ସହ ଶତ ପ୍ରତିଶତ ସଫଳତା ହାସଲ ନିମନ୍ତେ ଜିଲ୍ଲା ପ୍ରଶାସନର ସ୍ପଷ୍ଟ ଆଭିମୁଖ୍ୟ ରହିଛି। ବସୁଧା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଗୁଡିକରେ ପ୍ରତ୍ୟେକ ପରିବାର ଯେଭଳି ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇ ବାହ୍ୟ ମଳତ୍ୟାଗ କରିବା ଦିଗରେ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଛି।ଗ୍ରାମାଞ୍ଚଳର ବସ୍ତି ବାସିନ୍ଦା ବିଭିନ୍ନ ପ୍ରକାରର କଠିନ ଓ ତରଳ ବର୍ଜ୍ୟବସ୍ତୁକୁ ଏଣେ ତେଣେ ଫୋପାଡ଼ିବା ଫଳରେ ଗ୍ରାମ୍ୟ ପରିବେଶ ପ୍ରଦୂଷିତ ହେଉଛି।ଏଭଳି ସ୍ଥିତିରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ସବୁକୁ ସଂଗୃହୀତ କରି ଡଷ୍ଟବିନ କିମ୍ବା କମ୍ପୋଷ୍ଟ ପିଟ ବ୍ୟବହାର କରି ପରିମଳ ବ୍ୟବସ୍ଥାର ସୁଧାର ଓ ସୁନିଶ୍ଚିତ କରିହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ।ବିଶେଷତଃ ବାହ୍ୟ ମଳମୁକ୍ତ ଅଞ୍ଚଳ ସହ ପାନୀୟ ଜଳର ସୁବନ୍ଦୋବସ୍ତ,ବର୍ଜ୍ୟବସ୍ତୁ ସୁପରିଚାଳନା କ୍ଷେତ୍ରରେ ଉତ୍ତମ ପଦକ୍ଷେପ ଗ୍ରହଣ କଲେ ହିଁ ସୁସ୍ଥ ଗଞ୍ଜାମ, ସୁନ୍ଦର ଗଞ୍ଜାମ ଜିଲ୍ଲା ଭାବେ ବିବେଚିତ ଓ ସଫଳତା ହାସଲ କରି ପାରିବା ବୋଲି ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ତରାଇ ଓ ସଂଗ୍ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବିଡ଼ିଓ,କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏ ସମ୍ପର୍କରେ କର୍ମଶାଳାରେ ଅଧିକ ଅବଗତ ହୋଇ ନିଷ୍ଠାର ସହିତ ସମସ୍ତେ ଉଦ୍ୟମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ।ପରେ ଅତିଥିମାନେ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ନିର୍ମିତ ହୋଇଥିବା ବର୍ଜ୍ୟବସ୍ତୁ ପୃଥକୀ କରଣ ଓ ପୁନଃ ପ୍ରକ୍ରିୟା କରଣ କେନ୍ଦ୍ର ପରିଦର୍ଶନ କରିଥିଲେ।କର୍ମଶାଳାର ପ୍ରଥମ ଦିନରେ ଶେରଗଡ ବ୍ଲକ ବିଡ଼ିଓ ସୁରଞ୍ଜନ ସାହୁ, ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ,ଆସିକା,ଭଞ୍ଜନଗର, ବୁଗୁଡା, ଧରାକୋଟ, ଦିଗପହଣ୍ଡି, ଜଗନ୍ନାଥ ପ୍ରସାଦ, ରଙ୍ଗେଇଲୁଣ୍ଡା,ଖଲ୍ଲିକୋଟ, ଓ ସୋରଡ଼ା ବ୍ଲକର ବିଡିଓ,ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ ଚନ୍ଦ୍ର ମହାପାତ୍ର, କନିଷ୍ଠ ଯନ୍ତ୍ରୀ ସମୂହଙ୍କ ସହ ପ୍ରସନ୍ନ ଦଳାଇ , ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ୪୧ ପଞ୍ଚାୟତ ର ସରପଞ୍ଚ ମାନେ ଯୋଗ ଦେଇଥିଲେ।କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ମାନସ ରଞ୍ଜନ ଦାସଙ୍କ ସମେତ ପୌର ଓ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ।


