ପିଡିଏସ ଗହମ ଚୋରା ଚାଲାଣ ଘଟଣା; ପିଆଇଙ୍କ ସମେତ ୪କର୍ମଚାରୀଙ୍କ ବଦଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଛଗରିଆସ୍ଥିତ ଓଡିଶା ରାଜ୍ୟ ଯୋଗାଣ ନିଗମ ଗୋଦାମରୁ ପିଡିଏସ ଗହମ ଚୋରା ଚାଲାଣ ଘଟଣାରେ ପ୍ରୋକିଓରମେଂଟ ଇନିସପେକ୍ଟର ପିଙ୍କୁଇନ ସାମନ୍ତରାୟଙ୍କ ସମେତ ୩ଜଣ ଡଷ୍ଟିଂ ଅପରେଟର ଓ ଜଣେ ଡାଟାଏଂଟ୍ରୀ ଅପରେଟରଙ୍କୁ ସେଠାରୁ ବଦଳି କରାଯାଇଥିବା ସୂଚନା ମିଳିଛି । ଗୋଦାମର ସମସ୍ତ କର୍ମଚାରୀଙ୍କୁ ସେଠାରୁ ଅନ୍ୟତ୍ର ବଦଳି କରିଦିଆଯାଇଛି । ସଦର ଥାନା ପୋଲିସ ଦ୍ୱାରା ୨୧୦ବସ୍ଥା ପିଡିଏସ ଗହମ ଜବତ ହେବା ପର ଠାରୁ ଛଗରିଆ ଗୋଦାମରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ସନ୍ଦେହ ପରିସରକୁ ଆସିଥିଲା । ସଦର ପୋଲିସ ଜବତ ଗହମର ସୁତ୍ର ଖୋଜୁଥିବା ସମୟରେ ଯୋଗାଣ ଅଧିକାରୀଙ୍କ ସୁପାରିଶରେ ଜିଲ୍ଲାପାଳ ଗୋଦାମର ସବୁ କର୍ମଚାରୀଙ୍କୁ ସେଠାରୁ ବଦଳି କରିଦେଇଛନ୍ତି । ଏବେ ପିଡିଏସ ସାମଗ୍ରୀ ପରିବହନ କରୁଥିବା ଏଲ-୨ ଠିକାଦାରଙ୍କ ସମେତ ଏହି କଳା କାରନାମାରେ ସଂପୃକ୍ତ ଥିବା ଯୋଗାଣ ବିଭାଗର ଅନ୍ୟ ଅଧିକାରୀ ଓ ଜଣେ ପୂର୍ବତନ କର୍ମଚାରୀଙ୍କ ସମ୍ପର୍କରେ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ପୋଲିସର ସିଡିଆର(କଲ ରେକର୍ଡ ଡିଟେଲସ) ଯାଂଚ ପରେ ଅଭିଯୁକ୍ତ ବ୍ୟବସାୟୀଙ୍କ ସହିତ କେତେକ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଗଭୀର ସମ୍ପର୍କ ରହିଥିବା କଥା ବିଶେଷ ସୁତ୍ରରୁ ଜଣାପଡିଛି । ଜିଲ୍ଲାରେ ୩ଲକ୍ଷ ୧୫ହଜାର ୫୦୩ ରାସନକାର୍ଡ ହିତାଧିକାରୀ ଥିବା ବେଳେ ପିଡିଏସ ସାମଗ୍ରୀ ଗଛିତ ରଖିବା ପାଇଁ ୪ଟି ଗୋଦାମ ରହିଛି । ଏହିସବୁ ଗୋଦାମରୁ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଂଚଳରେ ଥିବା ଫେଆର ପ୍ରାଇସ ସପ(କଂଟ୍ରୋଲ ଡିଲର)ଙ୍କ ନିକଟରେ ପିଡିଏସ ସାମଗ୍ରୀ ପହଁଚାଇବାକୁ ୭ଜଣ ଏଲ-୨ ଠିକାଦାର ନିଯୁକ୍ତ ହୋଇଛନ୍ତି । ଜଣେ ଜଣେ ଏଲ-୨ଠିକାଦାରଙ୍କୁ ୨ଟି ବ୍ଲକ କିମ୍ବା ଗୋଟିଏ ବ୍ଲକ ଓ ଗୋଟିଏ ପୈାରାଚଂଳରେ ପିଡିଏସ ସାମଗ୍ରୀ ପହଁଚାଇବାକୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଅନେକ ସମୟରେ ଡିଲରଙ୍କ ଠାରୁ ପିଡିଏସ ସାମଗ୍ରୀ ହଡପ ହେବାର ଅଭିଯୋଗ ହୋଇଥାଏ । କିନ୍ତୁ ଏହି ଘଟଣାରେ ଗୋଦାମରୁ ଡିଲରଙ୍କ ପାଖକୁ ଯାଉଥିବା ବେଳେ ପିଡିଏସ ସାମଗ୍ରୀ ଚୋରା ଚାଲାଣ ହୋଇଛି । ଦାୟୀତ୍ୱରେ ଥିବା ଯୋଗାଣ ଅଧିକାରୀ ଓ ପରିବହନ ଠିକାଦାରଙ୍କ ସଲାସୁତରାରେ ଏହି ଗହମ ଚୋରା ଚାଲାଣ ହୋଇଥିବା ଅଭିଯୋଗ ହୋଇଛି । କେବଳ ପ୍ରୋକିଓରମେଂଟ ଇନିସପେକ୍ଟର ବା ଏଲ-୨ ଠିକାଦାର ନୁହନ୍ତି ଏହି ଘଟଣାର ମୁଖ୍ୟ ଯୋଗାଣ ବିଭାଗର ସେହି ଅଧିକାରୀ ଓ ପୂର୍ବତନ କର୍ମଚାରୀଙ୍କ କାର୍ଯ୍ୟକଳାପ ତଦନ୍ତ ପରିସରକୁ ଅଣାଯିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ