କୃଷି ବିଜ୍ଞାନକେନ୍ଦ୍ରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜଜାଙ୍ଗସ୍ଥିତ କୃଷି ବିଜ୍ଞାନକେନ୍ଦ୍ର ପରିସରରେ କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମୃତ୍ତିକା ଦିବସ ଶନିବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ.ସୂର୍ଯ୍ୟମଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ମାଟିକୁ ମା’ ସହିତ ତୁଳନା କରିବା ସହ ମାଟିକୁ ଜୀବନ୍ତ ରଖି ମାଟିର ଜୈବ ବିବିଧତାକୁ କିପରି ଓ କାହିଁକି ସୁରକ୍ଷା ଦିଆଯିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଛତୁଚାଷ ସମ୍ପର୍କୀତ ଏକ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଉଦ୍ୟାନକୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ପନିପରିବା ମଞ୍ଜି କିଟ ଓ ଫଲ ଗଛର ଚାରା ବଂଟନ କରାଯାଇଥିଲା । ୨୦ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମୃତିକା ପରୀକ୍ଷା ସୁସ୍ଥ କାର୍ଡ ମଧ୍ୟ ଅତିଥିମାନେ ବଂଟନ କରିଥିଲେ । ଏଥିସହିତ ସମୋନ୍ୱିତ କୃଷିରେ ଅଶେଷ ସଫଳତା ଲାଭ କରିଥିବା ପକ୍ଷଟ ଗ୍ରାମର ପ୍ରମୋଦ ବିଶ୍ୱାଳଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ସମ୍ମାନୀତ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହାସୁଆର, ସହକାରୀ ଉଦ୍ୟାନକୃଷି ନିର୍ଦେଶକ କନ୍ଧ ଜେନା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ନମିତା ମହାପାତ୍ର, ପ୍ରଭଞ୍ଜନ ମିଶ୍ର, ତାପସ ରଞ୍ଜନ ସାହୁ, ରାଜେଶ କୁମାର ମହାପାତ୍ର, ପ୍ରଭଦ କୁମାର ସାହୁ, ନିହାର ରଞ୍ଜନ ବରାଳ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା କୃଷି ଅଧିକାରୀ ଶାରଦା ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଯୋଗଦେଇଥିବା ଚାଷୀମାନେ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଡେମୋ ୟୁନିଟ ଗୁଡିକୁ ବୁଲି ଦେଖିଥିଲେ ।