ନାବାଳିକା ଦୁଷ୍କର୍ମକାରୀଙ୍କୁ ସାଢେ ୪ବର୍ଷ ସଶ୍ରମ କାରାଦଣ୍ଡ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି କେନ୍ଦ୍ରାପଡା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ଜଜ ପ୍ରଜ୍ଞାପରମିତା ରାଉଳ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସାଢେ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୬ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୪ମାସ ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅଞ୍ଚଳର ଏକ ଗ୍ରାମରେ ଭାଲୁକୁଣୀ ଭଷାଣୀ ଚାଲିଥିଲା। କାଣୀନଦୀ ନିକଟରୁ ଭଷାଣୀ ଶେଷ କରି ଘରକୁ ଫେରୁଥିବା ବେଳେ ୨୦୨୩ମସିହା ସେପ୍ଟେମ୍ବରମାସ ୨୪ତାରିଖ ରାତି ୯ଟା ସମୟରେ ଅଭିଯୁକ୍ତ ଚନ୍ଦ୍ରଶେଖର ବଳ ସଂପୃକ୍ତ ନାବାଳିକାଙ୍କୁ ଜୋରଜବରଦସ୍ତ ନିକଟସ୍ଥ ଏକ ଗଛମୂଳକୁ ଟେକିନେଇଥିଲେ। ସେଠାରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଫଳରେ ନାବାଳିକା ଜଣକ ଜୋରରେ ପାଟି କରିଥିଲେ। ପାଟି ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ସେଠାରୁ ଦୈାଡି ପଳାଇଯାଇଥିଲା। ଗ୍ରାମବାସୀମାନେ ଏସମ୍ପର୍କରେ ଅଭିଯୁକ୍ତଙ୍କୁ ପଚାରିବାରେ ସେ ତାଙ୍କ ପରିବାର ଲୋକ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ପିଡିତାଙ୍କ ସମ୍ପର୍କୀୟ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାକେଶ ନଂ- ୫୮୮/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିଲା। ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ଅଭିଯୁକ୍ତ ଚନ୍ଦ୍ରଶେଖର ବଳ(୪୩)କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନେହେରୁ କୁମାର ସାହୁ କୋର୍ଟରେ ମାମଲାର ପରିଚାଳନା କରୁଥିଲେ।


