ବିହାର, ୟୁପିରେ ସ୍ଥିତି ଗମ୍ଭୀର ବର୍ଷା ନେଲା ୧୦୦ ଜୀବନ
ପାଟନା :ବିହାର ଓ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି । ଗତ ଚାରି ଦିନ ମଧ୍ୟରେ ବର୍ଷାଜନିତ ବିପର୍ଯ୍ୟୟ ଯୋଗୁଁ ଏହି ଦୁଇ ରାଜ୍ୟରେ ୧୦୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବାରୁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ପାଟନାରେ ଜୀବନଯାତ୍ରା ବ୍ୟାହତ ହୋଇଛି ଏବଂ ୧୩ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି କାନ୍ଥ ଭୁଷୁ?ି ପାଟନାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭଗଲପୁରରେ ୩ଜଣଙ୍କ ମୃତ୍ୟୁ ଘଟିଛି । ପାଣି ଘେରରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏନଡିଆର୍ଏଫ୍ ଏବଂ ଏସ୍ଡିିଆର୍ଏଫ୍ ଅହରହ କାର୍ଯ୍ୟ କରୁଛନ୍ତି । ପାଟନାରେ ବର୍ଷା ପାଣି ଡାକ୍ତରଖାନାରେ ପଶିଯିବାରୁ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ପାଟନାର ୬୦ ପ୍ରତିଶତ ଅଂଚଳ ଜଳବନ୍ଦୀ ହୋଇ ରହିଛି ଏବଂ ପ୍ରସିଦ୍ଧ ପାଟନା ଜଂକ୍ସନ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ରାଜ୍ୟର ବିଭିନ୍ନ ଅଂଚଳରେ ସ୍କୁଲ, କଲେଜ ବନ୍ଦ ରହିଛି । ୧୩ଟି ଟ୍ରେନ୍ ଚଳାଚଳ ବାତିଲ କରି ଦିଆଯାଇଛି । ବିହାରରେ ଗତ ୪୮ ଘଣ୍ଟା ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବର୍ଷା ବିପର୍ଯ୍ୟୟର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ପାଟନାର ଜଳମଗ୍ନ ଅଂଚଳ ଗସ୍ତ କରି ପରିସ୍ଥିତି ଦେଖିଛନ୍ତି । ପାଟନାରେ ଆଜି ଅଧିକ ୩ଟି ଏନଡିଆର୍ଏଫ୍ ଟିମ୍ ମୁତୟନ କରାଯାଇଛି । ଗୟାରେ ବ୍ୟାପକ ଅଂଚଳ ପାଣି ଘେରରେ ରହିଥିବା ବେଳେ ଆଜି ସେଠାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ପାଟନା ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ପାଗ ଖରାପ ରହିଥିବାରୁ କେତେକ ବିମାନର ଗତିପଥ ବଦଳିଛି । ପାଟନାରେ ଆହୁରି ୨ ଦିନ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ପ୍ରୟାଗରାଜରେ ୧୦୨ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି । ବାରଣାସୀରେ ସହରର ବିଭିନ୍ନ ଅଂଚଳ ଜଳବନ୍ଦୀ ହୋଇ ରହିଛି । ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ ବର୍ଷା ୩ ଦିନ ମଧ୍ୟରେ ୭୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି ।


